ଖଜୁରୀପଡ଼ା/ଫିରିଙ୍ଗିଆ,୧୦।୭: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଫୁଲବାଣୀ ସହର ଉପକଣ୍ଠ ଗୁଦାରୀ ଏୟାରଷ୍ଟ୍ରିପ ନିକଟସ୍ଥ ଭାଲୁକୁଟି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ଗୋଚ୍ଛାପଡ଼ା ଥାନା ବିନକିମେଣ୍ଡି (ନେଡିପଦର) ଗ୍ରାମର ତପନ ରଣା ବୋଲି ଜଣାପଡ଼ିଛି । ତପନ ଗତ ୬ ତାରିଖରୁ ନିଖୋଜ ଥିଲେ ।
ସୂଚନା ଅନୁଯାୟୀ, ତପନ ୪ ତାରିଖ ଦିନ ଜଣେ ସମ୍ପର୍କୀୟଙ୍କ ବାଇକ ଧରି କଟ୍ରିଙ୍ଗିଆ ଯାଇଥିଲେ, ପରେ ଆଉ ଘରକୁ ଫେରିନଥିଲେ l ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ସେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରୀ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ସେହି ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ମିଳିନଥିଲା । ତପନଙ୍କ ମୋବାଇଲ ପ୍ରଥମେ ରିଙ୍ଗ୍ ହେଉଥିଲା, କିନ୍ତୁ କେହି ଫୋନ ଉଠାଉନଥିଲେ । ମଙ୍ଗଳବାରଠାରୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ବେଲି କହୁଥିଲା । ପରିବାର ଲୋକେ ଶେଷରେ ବାଧ୍ୟ ହୋଇ ଗୋଚ୍ଛାପଡ଼ା ଥାନାରେ ଲିଖିତ ଭାବରେ ଜଣାଇଥିଲେ । ଏନେଇ ଗୋଚ୍ଛାପଡ଼ା ପୁଲିସ ତଦନ୍ତ କରୁଥିବା ବେଳେ ଗୁରୁବାର ସକାଳେ ଜଙ୍ଗଲ ଭିତରେ ତପନଙ୍କ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ପୁଲିସକୁ ଖବର ଦେଇଥିଲେ । ଖଜୁରୀପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଏକ ବାଇକ ଏବଂ ମୋବାଇଲ ମିଳିଛି । ଘଟଣାର ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦୀନବନ୍ଧୁ ପ୍ରଧାନ କହିଛନ୍ତି ।