ହରଭଙ୍ଗା ୨୪/୧୨ : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭିବି-ଜି-ରାମ୍-ଜି ନିୟମ ୨୦୨୫ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ମାନଙ୍କୁ ଅଣଦେଖା ଓ ଅପମାନ କରାଯାଇଥିବା ନେଇ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି। ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତରେ, ଯେଉଁଠାରେ ୨୪ ଡିସେମ୍ବର ୨୦୨୫ ବୁଧବାର ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ଅବ୍ୟବସ୍ଥା ଦେଖାଦେଇଥିଲା। ମିଶନ ଶକ୍ତି ମହିଳାଙ୍କ କହିବା ଅନୁଯାୟୀ, କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ସମୟରେ ଅନଲାଇନ ମିଟିଂ ମାଧ୍ୟମରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ପଷ୍ଟଭାବେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମହିଳା ମାନେ ଜଳଖିଆ ଆଶାରେ ଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଏକାଧିକ ମହିଳାଙ୍କୁ ଯୋଗଦାନ ପାଇଁ ଡ଼ାକିଥିବା ବେଳେ ସେମାନେ ବସିବାକୁ କୌଣସି ବ୍ୟବସ୍ଥା କରାଯାଇନଥିଲା, କୌଣସି ପାଲ ନ ପକାଇ ତଳେ ମାଟିରେ ବସିବା ପାଇଁ କୁହାଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମ ସମାପ୍ତି ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ ତରଫରୁ ପ୍ରତି ମହିଳାଙ୍କୁ ଶୁଖିଲା ବିସ୍କୁଟ ଦେଇ ଦାୟିତ୍ୱ ସାରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ସବୁଠାରୁ ଦୁଃଖର ବିଷୟ ହେଉଛି ଯେ, ସମସ୍ତ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କୁ ମଧ୍ୟ ସେହି ବିସ୍କୁଟ ମିଳିନଥିଲା। ଅନେକ ମହିଳା ଦିନଭରି କାର୍ଯ୍ୟକ୍ରମରେ ବସିଥିଲେ ମଧ୍ୟ କୌଣସି ପ୍ରକାର ଜଳଖିଆ ବା ସମ୍ମାନଜନକ ବ୍ୟବହାର ପାଇନଥିବା ଅଭିଯୋଗ କରିଛନ୍ତି ।