ହାଟଡିହି,୧୧/୬: ମାନବିକତା ଦେଖାଇଲେ ବିଧାୟକ । ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଣା-ସମଣା ରାସ୍ତାର ଡଙ୍କୁରୀ ନିକଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆନନ୍ଦପୁରର ଏକ ବୈଠକକୁ ଯାଉଥିଲେ । ଡଙ୍କୁରୀ ନିକଟରେ ଏକ ହାଇଓ୍ବା ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାସ୍ତାରେ ଗୁରୁତର ଅବସ୍ଥାରେ ଯୁବତୀ ଜଣକ ପଡ଼ି ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ବିଧାୟକ ସଙ୍ଗେ ସଙ୍ଗେ ଯୁବତୀଙ୍କୁ ଉଦ୍ଧାର କରି ନନ୍ଦିପଦା ପୁଲିସକୁ ଡାକିଥିଲେ । ନନ୍ଦିପଦା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନା ଗାଡିରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଏହି ରାସ୍ତାରେ ଶହ ଶହ ବାଲି ବୋଝେଇ ଭାରୀ ଯାନ ଚଳାଚଳ କରୁଥିବାରୁ ଏପରି ଦୁର୍ଘଟଣା ଘଟୁଛି । ଏହି କାରଣରୁ ଦିନ ବେଳା ଏହି ରାସ୍ତାରେ ବାଲି ପରିବହନ ବନ୍ଦ କରିବାକୁ ବିଧାୟକ ଦାବି କରିଛନ୍ତି । ଏନେଇ ସେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହେବେ ବୋଲି କହିଛନ୍ତି।