ଭୁବନେଶ୍ୱର,୦୯/୧୧: ‘ମୋ ବସ୍‌’ର ବେପାରୁୱା ଗାଡି ଚାଳନା ସୀମା ଟପିବା ଖବର ପ୍ରକାଶ ପରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଚେତିଛି ।  ଖୋଦ୍‌ କ୍ରୁଟ୍‌ ମହାପ୍ରବନ୍ଧକ ତଥା ପରିଚାଳନା ନିର୍ଦ୍ଦେଶକ(ଏମଡି)  ଏମ୍‌. ତିରୁମାଲା ନାଏକ ଅଚାନକ  ‘ମୋ ବସ’ ଯାଞ୍ଚରେ ଲାଗିଛନ୍ତି । ମଦ ପିଇବା ଅଭିଯୋଗରେ ‘ମୋ  ବସ୍‌’ ଡ୍ରାଇଭର ଏବଂ କଣ୍ଡକ୍ଟର ବିଦା  ହୋଇଛନ୍ତି । ଡ୍ରାଇଭରଙ୍କ ନାଁ ଅନାଦି ନାଥ । କଣ୍ଡକ୍ଟର ଜଣକ ହେଲେ  ଅରବିନ୍ଦ ଜେନା । କ୍ରୁଟ୍‌ କାର୍ଯ୍ୟନିର୍ବାହୀ  ଦଳ ଦ୍ୱାରା ହଠାତ୍‌ ମଦ୍ୟପାନ ଯାଞ୍ଚ  ବେଳେ ଏହା ଚିହ୍ନଟ ହୋଇଥିଲା ।  ମାଷ୍ଟରକ୍ୟାଣ୍ଟିନ ସ୍ଥିତ ବସ୍‌ ଡିପୋରେ  ଉଭୟେ ଡ୍ୟୁଟି ସମୟରେ ମଦ  ପିଉଥିଲେ । ଏହାବାଦ୍‌ ବିଶୃଙ୍ଖଳିତ  ଆଚରଣ ଅଭିଯୋଗରେ ଅନ୍ୟ ୨  କର୍ମଚାରୀ(ଡ୍ରାଇଭର ଓ କଣ୍ଡକ୍ଟର) ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।  ସେମାନଙ୍କ ନିଲମ୍ବନ ଦୁଇ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।  

କ୍ରୁଟ୍‌ ସୂଚାଇଛି, ମୋ ବସ୍‌ କର୍ମଚାରୀଙ୍କ  ନିୟମିତ ମଦ୍ୟପାନ ପରୀକ୍ଷଣ, ସ୍ୱତନ୍ତ୍ର  ଡ୍ରାଇଭିଂ ତାଲିମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି  ଆଚରଣ ଓ ବ୍ୟବହାରଗତ ତାଲିମ ସହିତ  କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ତଦାରଖ କରାଯିବାର  ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାହେବ ।  କ୍ରୁଟ୍‌ ଅଧିକାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି  ଯେ କୌଣସି ଡ୍ରାଇଭର ଯଦି ଗାଡ଼ି ଚାଳନା  ସମୟରେ ମଦ୍ୟପାନ କରିଥିବା ଜଣାପଡ଼େ,  ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬  ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ । କେବଳ ମୋ  ବସ୍‌ ନୁହେଁ ଚାକିରିରୁ ବାହାରି ଅନ୍ୟ କୌଣସି  ସ୍ଥାନରେ ଗାଡ଼ି ଚାଳନା କରିବାକୁ ସେମାନଙ୍କୁ  ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ ନାହିଁ ।  

ସୂଚନାଯୋଗ୍ୟ, ମୋ ବସ୍‌ ଡ୍ରାଇଭର  ଏବଂ ଏହାର କର୍ମଚାରୀଙ୍କ ଉତ୍ପାତରେ  ଲୋକେ ଅତିଷ୍ଠ ହୋଇ ଯାଉଥିଲେ । ବିଭିନ୍ନ  ଥାନାରେ, କ୍ରୁଟ୍‌ ଅଫିସରେ ବାରମ୍ବାର  ଦୁର୍ଘଟଣା, ବେପାରୁୱା ଗାଡି଼ ଚାଳନାର  ଅଭିଯୋଗ ଗଦା ହେଉଥିଲା । କିନ୍ତୁ ଏଭଳି ଅଭିଯୋଗକୁ କ୍ରୁଟ୍‌ ଗୁରୁତର ସହ ନେଉ  ନଥିଲା । ଏମିତିକି ଯାତ୍ରୀମାନଙ୍କ ଅଭିଯୋଗକୁ  ଭ୍ରୁକ୍ଷେପ କରୁନଥିଲେ । ଏହାକୁ ଦୃଷ୍ଟିରେ ରଖି ଶେଷରେ ହାଇକୋର୍ଟ ଏହି ମାମଲାରେ  ହସ୍ତକ୍ଷେପ କରିଥିଲେ । ହାଇକୋର୍ଟରେ ଏକ  ମାମଲାର ଶୁଣାଣି ବେଳେ ଡ୍ରାଇଭରମାନଙ୍କ  ମଦ ପିଇବା ପ୍ରସଙ୍ଗ ଉଠିଥିଲା । ଏଭଳି  ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।