କଟକ,୨୩/୦୭ : ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳା, ଛାତ୍ରୀମାନେ ଜରୁରିକାଳୀନ ପରିସ୍ଥିତିରେ ପୁଲିସ ଓ ପରିବାରକୁ ସୂଚନା ଦେବା ପାଇଁ ତିଆରି ହୋଇଥିଲା ମୋ’ ସାଥୀ ଆପ୍‌ । ବହୁ ସଂଖ୍ୟାରେ ମହିଳା, ଛାତ୍ରୀମାନେ ମୋବାଇଲ୍‌ରେ ଏହି ଆପ୍‌ ଇନ୍‌ଷ୍ଟଲ୍‌ କରିଥିଲେ । ଯିବା ଆସିବା ବେଳେ ନିଜକୁ ଅନେକାଂଶରେ ସୁରକ୍ଷିତ ମଣୁଥିଲେ । କିନ୍ତୁ ଦୀର୍ଘ ଦିନ ହେବ ଏହି ଆପ୍‌ ଅଚଳ ହୋଇପଡ଼ିଛି । ସେହିପରି ସହରରେ ସୁରକ୍ଷିତ ଯାତାୟାତ ପାଇଁ ଆରମ୍ଭ କରାଯାଇଥିବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ‘ପିଙ୍କ୍‌ ଅଟୋ’ ସେବା ବି ଢେର ଦିନ ହେବ ବନ୍ଦ ହୋଇଗଲାଣି । ଆତ୍ମରକ୍ଷା ପାଇଁ କଲେଜରେ ଦିଆଯାଉଥିବା ‘ସେଲ୍‌ଫ୍‌ ଡିଫେନ୍ସ’ ବା ଆତ୍ମରକ୍ଷା ତାଲିମ୍‌ର ମଧ୍ୟ ଆଉ ନାଁ ଗନ୍ଧ ନାହିଁ। ସାରା ରାଜ୍ୟରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ନେଇ ଏବେ ବିତର୍କର ଝଡ଼ ସୃଷ୍ଟି ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ କଟକ ପୁଲିସ କେତେ ସମ୍ବେଦନଶୀଳ ତାହା ଏସବୁରୁ ଜଳଜଳ ଦିଶୁଛି। 

କଟକ-ଭୁବନେଶ୍ୱର ଦ୍ୱୈତ ମହାନଗରୀରେ ମହିଳାଙ୍କ ସୁରକ୍ଷା ପାଇଁ ୨୦୧୫ ମସିହାରେ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଭାବେ ମୋ ସାଥୀ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଥିଲା । ଜରୁରିକାଳୀନ ସ୍ଥିତିରେ ଏହି ଆପ୍‌ ଜରିଆରେ ମହିଳାମାନେ ପୁଲିସ ଓ ନିଜ ପରିବାର ଲୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା ହୋଇଥିଲା । ପ୍ରାରମ୍ଭିକ ସ୍ଥିତିରେ ଏହାର ସୁଫଳ ମଧ୍ୟ ମିଳିଥିଲା । ସେହିବର୍ଷ ନଭେମ୍ବର ମାସରେ କଟକରେ ମହିଳାମାନଙ୍କ ସୁରକ୍ଷିତ ଯାତାୟତ ପାଇଁ ସ୍ୱତନ୍ତ୍ର ‘ପିଙ୍କ୍‌ ଅଟୋ’ ସେବା ଆରମ୍ଭ ହେଲା । ପ୍ରଥମକରି ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । କେବଳ ମହିଳା ଯାତ୍ରୀମାନେ ଏହି ଅଟୋରେ ନିର୍ଭୟରେ ଯାତ୍ରା କଲେ । ସେହିପରି ୨୦୧୩ ମସିହାରୁ ବିଭିନ୍ନ କଲେଜରେ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ଦିଆଯାଇ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଥିଲା । ବିଶେଷ କରି ଏହି ତାଲିମ କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟରେ ବ୍ୟାପକ ଭାବେ କରାଯାଉଥିଲା । ଭୁବନେଶ୍ୱର ପାଇଁ ଜଣେ ଓ କଟକ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ଯୋଜନାର ନୋଡାଲ୍‌ ଅଫିସର ନିଯୁକ୍ତ କରାଯାଇଥିଲା । ହେଲେ ଏହି ତାଲିମ କାର୍ଯ୍ୟକ୍ରମ ଏବେ ସଂପୂର୍ଣ୍ଣ ବନ୍ଦ । ଟୁଇନ୍‌ ସିଟି ପୁଲିସର ମୋବାଇଲ୍‌ ଆପ୍‌ ଅନୁସାରେ କୌଣସି ଅଫିସରଙ୍କୁ ମଧ୍ୟ ଏହାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇନାହିଁ । 

ସେହିପରି ପିଙ୍କ୍‌ ଅଟୋ ସେବା ୩ରୁ ୪ ବର୍ଷ ପରେ ସଂପୂର୍ଣ୍ଣ ବନ୍ଦ କରିଦିଆଗଲା । ପାଞ୍ଚବର୍ଷରୁ ଅଧିକ ଦିନ ହେବ ପିଙ୍କ୍‌ ଅଟୋ ଆଉ କଟକରେ ଗଡୁନାହିଁ । ପୁନର୍ବାର ଏହି ଅଟୋ ସେବା ଆରମ୍ଭ କରାଯିବ ବୋଲି କୁହାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପିଙ୍କ୍‌ ଅଟୋ ସେବା ଆଉ ଆରମ୍ଭ ହୋଇପାରିଲା ନାହିଁ । ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ସାଥୀ’ ଆପ୍‌ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ଆପ୍‌ ଏବେ ଗୁଗଲ୍‌ ପ୍ଲେ’ଷ୍ଟୋରରେ ଆଉ ଉପଲବ୍‌ଧ ନାହିଁ । ଏପରିକି ଏହି ‘ଆପ୍‌’ ଡାଉନ୍‌ଲୋଡ୍‌ କରିଥିବା ମହିଳାଙ୍କ ଫୋନ୍‌ରେ ବି ଏହା କାମ କରୁନି । ଏଭଳି ସ୍ଥିତିରେ କଟକ ସହରରେ ମହିଳା ଓ ଯାତ୍ରୀମାନେ କିପରି ନିଜକ ସୁରକ୍ଷିତ ମଣିବେ ତା’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂପର୍କରେ ପ୍ରତିକ୍ରିୟା ପାଇଁ କମିସନରେଟ୍‌ ପୁଲିସ ସହ ଯୋଗାଯୋଗ କରାଯାଇଥିଲେ ହେଁ କାହାରି ମତାମତ ମିଳିପାରି ନାହିଁ ।