ନୂଆଦିଲ୍ଲୀ,୨୩/୦୭: ମୌସୁମୀ ଅଧିବେଶନ ତୃତୀୟ ଦିନରେ ଅଚଳାବସ୍ଥା ଜାରି ରହିଛି । ବିହାରର 'ସାର୍‌'କୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ହୋ-ହାଲ୍ଲାରେ କମ୍ପିଥିଲା ଉଭୟ ରାଜ୍ୟସଭା ଓ ଲୋକସଭା । ହାଉସ୍ ଚାଲି ନପାରିବାରୁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ପ୍ରଥମ ୧୨ଟା ପରେ ଅପରାହ୍ନ ୨ଟା ଯାଏ ଗୃହ ମୁଲତବୀ  କରିଛନ୍ତି ବାଚସ୍ପତି । ସଂସଦ ବାହାର କଂଗ୍ରେସ, ସପା ସମେତ ବିରୋଧୀ ଦଳ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବା ଏସ୍‌ଆଇଆର୍ ବିରୋଧରେ ଶାସକକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଗୃହ ଚଲାଇ ଦେଉନାହାନ୍ତି ଲୋକତନ୍ତ୍ରକୁ ହଙ୍ଗାମା ତନ୍ତ୍ର କରିଛନ୍ତି ବୋଲି କହିଛି ଶାସକ ଦଳ ।

ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍‌ଆଇଆର)କୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଉଭୟ ଗୃହ ଭିତରେ ଓ ବାହାରେ ପ୍ରବଳ ବିରୋଧ କରିଥିଲେ । ଏଥିସହିତ କିଛି ସାଂସଦ ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ଦାବିରେ ହଟ୍ଟଗୋଳ କରିଥିଲେ । ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । 

ପ୍ରଥମେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ନେତାମାନେ ସଂସଦ ବାହାରେ ବିହାରରେ ଚାଲିଥିବା ଏସ୍‌ଆଇଆର ବିରୋଧରେ ସ୍ଳୋଗାନ ଦେଇଥିଲେ । ସେହିଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବିରେ ହଟ୍ଟଗୋଳ କରିଥିଲେ । 

ବିହାର ଭୋଟର ତାଲିକାରୁ ୫୨ ଲକ୍ଷ ବାଦ୍ ପଡ଼ିବାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି,  ଏହା କେବଳ ୫୨ ଲକ୍ଷ କଥା ନୁହେଁ ବିହାର କଥା ନୁହେଁ, ମହାରାଷ୍ଟ୍ରରରେ ଏମାନେ ଦୁର୍ନୀତି କରିଛନ୍ତି । ଆମେ ନିର୍ବାଚନ କମିଶନଙ୍କୁ ପଚାରିଥିଲୁ ଭୋଟର ଲିଷ୍ଟ, ଭିଭିଓଗ୍ରାଫି ଦେଖାଇବାକୁ କହିଥିଲୁ ହେଲେ ଦେଖାଇନଥିଲେ । ନିର୍ବାଚନକୁ ଏମାନେ ଚୋରି କରିଛନ୍ତି । ମହାରାଷ୍ଟ୍ରରେ ୧ କୋଟି ଭୋଟର୍ ସାମିଲ ହୋଇଛନ୍ତି । ଏମାନଙ୍କ ଗେମ୍‌ ଆମେ ବୁଝିସାରିଛୁ । ଏମାନେ ବିହାରରେ ସିଷ୍ଟମ ବଦଳାଇବାକୁ ଚାହୁଁଛନ୍ତି । ନୂଆ ଭୋଟର ଲିଷ୍ଟ ଆଣିବାକୁ ଚାହୁଁଛନ୍ତି । ହିନ୍ଦୁସ୍ଥାନରେ ଭୋଟ୍ ଚୋରି ହେଉଛି । ''

ବିରୋଧୀଙ୍କ ହଙ୍ଗାମାକୁ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି,'' ମୁଁ ବୁଝିପାରୁ ନାହିଁ କି ସରକାର ସବୁ ବିଷୟରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଗୃହ ଚଳାଇବାକୁ ତ ଦିଅନ୍ତୁ । ଏମାନେ ଏପରି ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ସିଏକୁ ବି ନେଇ ଏମିତି କରିଥିଲେ ।''

ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଏମାନେ ଦାଦାଗିରି କରୁଛନ୍ତି । ଲୋକସଭାଙ୍କ ଅଧକ୍ଷ୍ୟଙ୍କ ଗିରମା କ୍ଷୂର୍ଣ୍ଣ କରୁଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ଇଣ୍ଡିଆ ମେଣ୍ଟ ଲୋକତନ୍ତ୍ରକୁ ହଙ୍ଗାମାତନ୍ତ୍ର କରିଛି ।  ବାହାରକୁ ଆସି ଚର୍ଚ୍ଚା କରିବାକୁ କହୁଛନ୍ତି ଭିତରେ ପ୍ରସଙ୍ଗରୁ ଦୂରରେ ରହୁଛନ୍ତି । କାଲି ବିରୋଧୀଙ୍କୁ ହାତଯୋଡି ଅନୁରୋଧ କରିଥିଲେ ହେଲ କିଛି ଶୁଣିଲେ ନାହିଁ ହଙ୍ଗାମା ଜାରି ରଖିଥିଲେ । ଟିଭି ଦେଖି ଜନତା ବିରୋଧୀଙ୍କ ଚରିତ୍ର ଦେଖନ୍ତୁ ।''