ନୂଆଦିଲ୍ଲୀ,୨୩।୭: ଦେଶକୁ ଖୁବ୍ ଶୀଘ୍ର ମିଳିବେ ନୂଆ ଉପ-ରାଷ୍ଟ୍ରପତି। ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଇଲେକ୍ସନ କମିଶନଙ୍କ ପକ୍ଷରୁ ଆଜି ଏକ ପ୍ରେସ୍ ନୋଟ୍ ଜାରି କରାଯାଇଛି। ଇସିଙ୍କ କହିବା ଅନୁସାରେ, ଗୃହମନ୍ତ୍ରଣାଳୟରୁ ସୂଚନା ମିଳିଛି ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଛନ୍ତି। ତେଣୁ ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି କାର୍ଯ୍ୟ ସମ୍ବିଧାନର ଧାରା ୩୨୪ ଅନୁସାରେ କରାଯିବ।
ଇସିଙ୍କ କହିବା ଅନୁସାରେ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠନ କରାଯିବ। ନିର୍ବାଚନ ଅଧିକାରୀଙ୍କ ଚୟନ ମଧ୍ୟ ଆରମ୍ଭ ହୋଇଛି। ଏହି ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ନିୟମ, ୧୯୭୪ ଅନୁସାରେ ସମ୍ପନ୍ନ କରାଯିବ। ନିୟମ ଅନୁସାରେ, ଉପରାଷ୍ଟ୍ରପତି ପଦବୀ ଖାଲି ହେବାର ୬୦ ଦିନ ଭିତରେ ନିର୍ବାଚନ କରାଯାଏ। ସମ୍ବିଧାନର ଅନୁଚ୍ଛେଦ ୬୬ ଅନୁସାରେ, ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ମିଶି ବନିଥିବା ନିର୍ବାଚକ ମଣ୍ଡଳ ବା ଇଲେକ୍ଟୋରାଲ କଲେଜ ଉପରାଷ୍ଟ୍ରପତିଙ୍କୁ ବାଛିଥାଏ । ଏହାର ଭୋଟିଂ ଗୁପ୍ତ ମତଦାନ ବା ସିକ୍ରେଟ ବାଲଟ ଜରିଆରେ କରାଯାଏ ।
ଗତ ସୋମବାର ରାତିରେ ଅଚାନକ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ । ୧୪ତମ ଉପ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳ ଆସନ୍ତା ୨୦୨୭ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରହିଥିଲା। ତେବେ ମଙ୍ଗଳବାର ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁର କରିଥିଲେ। ସମ୍ବିଧାନ ଅନୁସାରେ ଧନଖଡ଼ଙ୍କ ପରେ ହରିବଂଶ ମଙ୍ଗଳବାରଠାରୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ଆରମ୍ଭ କରି କଂଗ୍ରେସ ନେତା ଶଶି ଥରୁରଙ୍କ ସମେତ ଏକାଧିକ ନାଁ ଉପରେ ଉପରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚା ଚାଲିଛି ।
ରାଜନୈତିକ ବିଷାରଦଙ୍କ ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହୋଇପାରନ୍ତି । ବିହାରରେ ବିଜେପି ନିଜ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛା ରଖିଛି । ତେଣୁ ନୀତୀଶଙ୍କ ଜେଡିୟୁ ଦଳରୁ କାହାକୁ ଉପମୁଖ୍ୟମନ୍ତ୍ରୀ କରି ନୀତୀଶଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖିବାକୁ ବିଜେପି ଭାବୁଥାଇପାରେ। ସେଭଳି ହରିବଂଶ ନାରାୟଣ ସିଂଙ୍କୁ ନେଇ ଚର୍ଚ୍ଚା ରହିଛି। କୁହାଯାଉଛି ତାଙ୍କୁ ବଡ ଦାୟିତ୍ୱ ମିଳିପାରେ। କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛି କଂଗ୍ରେସ ନେତା ଶଶି ଥରୁରଙ୍କ ନାଁ । ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ପରଠାରୁ କଂଗ୍ରେସ ତାଙ୍କଠାରୁ ଦୂରତା ବଜାୟ ରଖିଛି । ତେଣୁ ଥରୁରଙ୍କ ଭଳି ଜଣେ ଦକ୍ଷ ତଥା ପ୍ରଭାବୀ ନେତାଙ୍କୁ ବିଜେପି ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଭେଟେରାନ ରାଜନାଥ ସିଂ, ଜେ.ପି ନଡ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ୨୦୨୨ରେ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ବି ରାଜନାଥଙ୍କ ନାଁ ଉଠିଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି ।