ନୂଆଦିଲ୍ଲୀ ୧୫/୦୭: ଲୋକପ୍ରିୟ ମଡେଲ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସାନ୍‌ ରଚେଲ ଆତ୍ମହତ୍ୟା କରିଛନ୍ତି । ଗତ ବର୍ଷ ତାଙ୍କର ବିବାହ ହୋଇଥିଲା । ଗତ ରବିବାର ସେ ବାପାଙ୍କୁ ଭେଟିବାକୁ କରମନୀକୁପ୍ପମ ପହଞ୍ଚିଥିଲେ । ସେଠାରେ ସେ ମାତ୍ରାଧିକ ରକ୍ତଚାପ ଔଷଧ ସେବନ କରିଥିଲେ । ପରିବାର ସଦସ୍ୟ ତାଙ୍କୁ ଗମ୍ଭୀର ଅବସ୍ଥାରେ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନେଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ସ୍ଥିତିରେ ସୁଧାର ନ ହେବାରୁ ତାଙ୍କୁ ଜୱାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‌ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚକୁ ନିଆଗଲା  । ସେଠାରେ ତାଙ୍କର ମୃତ୍ୟୁ ହେଲା । 

ସୂଚନାଯୋଗ୍ୟ, ୨୦୨୨ରେ ସେ ମିସ୍‌ ପୁଡୁଚେରୀ ଟାଇଟଲ୍‌ ହାସଲ କରିଥିଲେ । ପୁଲିସ ସୂଚନା ଅନୁସାରେ, ସାନ୍‌ ରଚେଲ ଆର୍ଥିକ ସମସ୍ୟା ଓ ବ୍ୟକ୍ତିଗତ ଜୀବନରେ ଚାପ ଓ ଚିନ୍ତା ମଧ୍ୟରେ ଥିଲେ । କିଛି ଦିନ ତଳେ କ୍ୟାରିଅର ଆଗକୁ ବଢ଼ାଇବା ପାଇଁ ସେ ନିଜର କିଛି ଗହଣା ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି । ପାଣ୍ଠି ବଢ଼ାଇବା ପାଇଁ ସେ ବାପାଙ୍କୁ ମଧ୍ୟ ଆର୍ଥିକ ସହାୟତା ମାଗିଥିଲେ । କିନ୍ତୁ ବାପା ତାଙ୍କୁ ଟଙ୍କା ଦେବାକୁ ମନା କରିଦେଲେ । ଏହା ପରେ ରଚେଲ ଆତ୍ମହତ୍ୟା କଲେ । 

ପୁଲିସ ରଚେଲଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି । ତେବେ, ଏଥିରେ ସେ କାହାକୁ ନିଜ ମୃତ୍ୟୁ ପାଇଁ ଦାୟୀ କରିନାହାନ୍ତି । ୨୬ ବର୍ଷୀୟା ରଚେଲ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୯ରେ ମିସ୍‌ ଡାର୍କ କୁଇନ୍‌ ତାମିଲନାଡୁ ଟାଇଟଲ ହାସଲ କରିଥିଲେ । ତା’ପରେ ୨୦୨୨ରେ କୁଇନ୍‌ ଅଫ୍‌ ସାଡ୍ରାସ ସୁନ୍ଦରୀ ପ୍ରତିଯୋଗିତାର ବିଜେତା ହୋଇଥିଲେ । ସେହି ବର୍ଷ ସେ ମିସ୍‌ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ମିସ୍‌ ପୁଡୁଚେରୀ ଟାଇଟଲ ହାସଲ କରିଥିଲେ । ବର୍ତ୍ତମାନ ସେ ଜଣେ ମଡେଲିଂ କୋଚ୍‌ ଭାବେ କାମ କରୁଥିଲେ ।