ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ମୋଦୀ ସରକାର ଦୀପାବଳି ଉପହାର ଦେଇଛନ୍ତି । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ବଢ଼ାଇଛନ୍ତି କେନ୍ଦ୍ର ସରକାର । ୨୦୨୫-୨୬ ଲାଗି ୬ଟି ରବି ଫସଲ ଉପରେ ସରକାର ଏମଏସ୍‌ପି ବୃଦ୍ଧି କରିଛନ୍ତି । ଏହା ଦ୍ବାରା ଚାଷୀଙ୍କୁ ନିଜର ଫସଲ ଉପରେ ଅଧିକ ଦାମ ମିଳିବ । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ‘ ରବି ଫସଲ୍‌ର ଏମଏସ୍‌ପି ବଢ଼ାଇଛନ୍ତି ସରକାର । କୃଷକ କଲ୍ୟାଣ ସହ ଜଡ଼ିତ ସବୁଠୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଚାଷ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥଠାରୁ ଲାଭ ୫୦ ପ୍ରତିଶତ ଅଧିକ ହେବା ଦରକାର ।’




କେତେ ବଢ଼ିଲା ଏମଏସ୍‌ପି ?

-ଗହମର ଏମଏସ୍‌ପି ୨,୪୨୫ ଟଙ୍କା କରାଯାଇଛି । ପୂର୍ବରୁ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨,୨୭୫ ଟଙ୍କା ଥିଲା ।

- ଯ’  ସର୍ବନିମ୍ନ ସହାୟକ ମୂଲ୍ୟ ୧୯୮୦ ପ୍ରତି କ୍ବିଣ୍ଟାଲ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଯ’ର ଏମଏସ୍‌ପି ୧୮୫୦ ଟଙ୍କା ଥିଲା ।

-ଚଣାର ଏମଏସ୍‌ପି କ୍ବିଣ୍ଟାଲ ପ୍ରତି ୫,୬୫୦ ଟଙ୍କା ହୋଇଛି । 

-ମସୁର ଡାଲିର ଏମଏସପି ୬,୪୨୫ ଟଙ୍କାରୁ ୬,୭୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।

-ସୋରିଷ କ୍ବିଣ୍ଟାଲ ପିଛା ୫,୬୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହାର ଏମଏସପି ୫,୯୫୦ ଟଙ୍କା ବୃଦ୍ଧି ପାଇଛି ।

-କୁସୁମ୍‌ର ଏମଏସପି ୫,୯୪୦ ଟଙ୍କା ପ୍ରତି କ୍ବିଣ୍ଟାଲ କରାଯାଇଛି । ପୂର୍ବରୁ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ୫,୮୦୦ ଟଙ୍କା ଥିଲା ।