ନୂଆଦିଲ୍ଲୀ,୧୮।୧୨: ରାଜ୍ୟସଭାରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ବିବାଦ ବଢିଯାଇଛି। ବୁଧବାର ବିରୋଧି ଦଳ ପକ୍ଷରୁ ସଂସଦରେ ହଙ୍ଗାମା ହୋଇଛି। ବିରୋଧି ସାଂସଦଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରଗୃହମନ୍ତ୍ରୀ ମଙ୍ଗଳବାର ନିଜ ଭାଷଣଷର ଡକ୍ଟର ବି.ଆର ଆମ୍ବେଦରଙ୍କ ଅପମାନ କରିଛନ୍ତି। ଏବେ ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି। କଂଗ୍ରେସ କହିଛି ଶାହଙ୍କୁ ଇସ୍ତଫା ଦେବା ଦରକାର। ଏଭଳି ବୟାନ ଦେଇଥିବାରୁ ତାଙ୍କୁ କ୍ଷମା ମାଗିବା ଦରକାର। ସେପେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିରୋଧିଙ୍କୁ କରିଛନ୍ତି ଟାର୍ଗେଟ। ଆମ୍ବେଦକରଙ୍କ ପ୍ରତି କଂଗ୍ରେସ କରିଥିବା “ପାପ”ର ତାଲିକା ଜାରି କରିଛନ୍ତି ପିଏମ୍ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିଲା । ସେ ଆମ୍ବେଦକରଙ୍କ ପ୍ରତି କଂଗ୍ରେସ କରିଥିବା “ପାପ”ର ତାଲିକା ଜାରି କରିଛନ୍ତି।ସେ କହିଛନ୍ତି ‘କଂଗ୍ରେସ କେବଳ ଆମ୍ବେଦକରଙ୍କୁ ଭାରତ ରତ୍ନ ଦେବାକୁ ମନା କରି ନଥିଲା, ବରଂ ତାଙ୍କୁ ୨ ଥର ନିର୍ବାଚନରେ ପରାସ୍ତ କରିଥିଲା। ପଣ୍ଡିତ ନେହରୁ ତାଙ୍କ ବିରୋଧରେ ପ୍ରଚାର କରିଥିଲେ। କଂଗ୍ରେସ କିଭଳି ତଥାକଥିତ ଭାବେ ସମସ୍ତ ପ୍ରକାରର ଖରାପ ଢଙ୍ଗ ଆପଣାଇ ଡ ବିଆର ଆମ୍ବେଦକରଙ୍କ ଚିହ୍ନବର୍ଣ୍ଣ ଲିଭାଇ ଦେବା ପାଇଁ ଚେଷ୍ଟା କରିଥିଲା ତାହା ସମସ୍ତଙ୍କୁ ଜଣା । କେମିତି ଦଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ହଇରାଣ କରିଥିଲା, ସେକଥା ମୋଦି ବିସ୍ତୃତ ଭାବେ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
Congress can try as they want but they can’t deny that the worst massacres against SC/ST Communities have happened under their regimes.
— Narendra Modi (@narendramodi) December 18, 2024
For years, they sat in power but did nothing substantive to empower the SC and ST communities.
ଉଲ୍ଲେଖନୀୟ ଯେ, ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଛି। କଂଗ୍ରେସ ଅଧ୍ୟକ୍ଷ ଓ ରାଜ୍ୟସଭାରେ ବିରୋଧି ଦଳ ନେତା ମାଲିକାର୍ଜୁନ ଖଡଗେ କହିଛନ୍ତି, ଅମିତ ଶାହ ଆମ୍ବେଦକରଙ୍କ ଅପମାନ କରିଛନ୍ତି। ଆମେ ତାଙ୍କ ଇସ୍ତଫା ଦାବି କରୁଛୁ। ଶାହ ଦେଶର ଜନତାଙ୍କୁ କ୍ଷମା ମାଗିବା ଦରକାର। ବାବା ସାହେବଙ୍କ ବିଷୟରେ କହିଥିଲେ ଯେତେ ଥର ଆପଣ ଆମ୍ବେଦରକଙ୍କ ନାଁ ହେଉଛନ୍ତି ସେତେଥର ଭଗବାନଙ୍କ ନାଁ ନେଇଥିଲେ ୭ ଥର ସ୍ବର୍ଗ ଯାଇଥାନ୍ତେ। ଅର୍ଥାତ ବାବା ସାହେବଙ୍କ ନାଁ ନେବା ଭୁଲ। ସେତେବେଳେ ମୁଁ ହାତ ଉଠାଇଥିଲି ଓ ତାଙ୍କୁ କହିବାକୁ ରୋକିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୋତେ ସୁଯୋଗ ମିଳିଲାନି। ବାବା ସାହେବଙ୍କ ଦ୍ବାରା ଗଠନ କରାଯାଇଥିବା ସମ୍ବିଧାନ ଉପରେ ଚର୍ଚ୍ଚା ଚାଲିଥିଲା, ତେଣୁ ଆମେ ଚୁପ୍ ଥିଲୁ।
ଆମ୍ ଆଦମୀ ପାର୍ଟୀ ରାଷ୍ଟ୍ରୀୟ ସଂଯୋଜନ ଅରବିନ୍ଦ କେଜ୍ରିଓ୍ବାଲ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ଲେଖିଛନ୍ତି, ଦେଖନ୍ତୁ କିଭଳି ଶାହା ସଂସଦରେ ଆମ୍ବେଦକରଙ୍କୁ ନେଇ ପରିହାସ କରୁଛନ୍ତି। ବିଜେପିର ଏତେ ଅହଂକାର ବଢିଯାଇଛି ଯେ, କାହାକୁ କିଛି ବି ଭାବୁନି। ଶାହ ଜୀ ବାବା ସାହବ ଏ ଦେଶର ପିଲାଙ୍କ ପାଇଁ ଭଗବାନଙ୍କଠାରୁ କମ୍ ନୁହେଁ। ମରିବା ପରେ ସ୍ବର୍ଗ କଥା ତ ଜାଣିନି, କିନ୍ତୁ ବାବା ସାହେଙ୍କ ସମ୍ବିଧାନ ନଥିଲେ ଆପଣ ଗରିବ ଓ ଦଳିତଙ୍କୁ ପୃଥିବୀରେ ବଞ୍ଚିବାକୁ ଦେଇନଥାନ୍ତେ ।ବାବା ସାହେବଙ୍କ ଅପମାନ ସହିବେନି ଭାରତବାସୀ। ଜୟ ଭୀମ।