ନୂଆଦିଲ୍ଲୀ : ସବୁବେଳେ କିଛି ନା କିଛି କାରଣ ପାଇଁ ବିବାଦରେ ଫସିଥାନ୍ତି ପାକିସ୍ତାନୀ କ୍ରିକେଟର । ଏବେ ବିବାଦ ଘେରରେ ଫସିଛନ୍ତି ପାକିସ୍ତାନର ଅଲରାଉଣ୍ଡର ମହମ୍ମଦ ନଓ୍ବାଜ୍ । ସେ ଟି-୨୦ ବିଶ୍ବକପ ସମୟରେ ଡ୍ରଗ୍ସ ନେଇ ଖେଳୁଥିବାର ଖବର ଆସିଛି । ଡ୍ରଗ୍ସ ଟେଷ୍ଟ ହୋଇଥିବାବେଳେ ମହମ୍ମଦ ନଓ୍ବାଜଙ୍କ ପଜିଟିଭ୍ ଆସିଛି । ଏବେ ଘଟଣାର ତନାଘନା ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ରିପୋର୍ଟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିଙ୍କ ନିୟମିତ ନମୁନା ନିଆଯାଇଥାଏ । ଏହି ସମୟରେ ନିଆଯାଇଥିବା ନମୁନାର ପଜିଟିଭ୍ ଆସିଥିବା ଜଣାପଡ଼ିଛି । ତେବେ ପାକିସ୍ତାନ ଗତ ଟି-୨୦ ବିଶ୍ବକପର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମହମ୍ମଦ ନଓ୍ବାଜ । ନଓ୍ବାଜ ୫ ପାଳିରେ ମାତ୍ର ୧୫ ରନ କରିଥିବାବେଳେ ୭ ଓ୍ବିକେଟ୍ ନେଇଥିଲେ । ଖରାପ ପ୍ରଦର୍ଶନ ପାଇଁ ଇଂରାଜୀ କାଉଣ୍ଟିଂ କ୍ରିକେଟ କ୍ଲବ ସହ ତାଙ୍କର ଚୁକ୍ତି ବାତିଲ୍ କରାଯାଇଥିଲା ।

ସେପଟେ ପାକିସ୍ତାନ ସୁପର ଲିଗରେ ମଧ୍ୟ ଏବେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି ନଓ୍ବାଜ । ମୁଲତାନ ସୁଲତାନ ପାଇଁ ଖେଳୁଥିବାବେଳେ ଫର୍ମ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସେ ୮ ପାଳିରେ ମାତ୍ର ୩୬ ରନ୍ କରିଛନ୍ତି । ତେବେ ଟି-୨୦ ବ୍ଲାଷ୍ଟର ପାଇଁ ଖେଳିବା ପାଇଁ ପୂର୍ବରୁ ଏନଓସି ପାଇ ସାରିଛନ୍ତି ନଓ୍ବାଜ । ମାତ୍ର ସେ ଏବେ ଏଥିରେ ଭାଗ ନେଇପାରିବେ ନାହିଁ ।

ଏହାସହ ପଢ଼ନ୍ତୁ : IPLରେ ପଡ଼ିଲା ସ୍ମୋକିଂ ବୋମା: ଖେଳାଳି ସିଗାରେଟ୍ ପିଉଥିବାର ଭିଡିଓ ଭାଇରାଲ୍