ଭୁବନେଶ୍ୱର, ୧୮।୧୨ : ବରିଷ୍ଠ ରାଜନେତା ବିଜୟ ମହାପାତ୍ରକୁ ଭୁବନେଶ୍ୱର ବାସଭବନରେ ଭେଟିଲେ ମହମ୍ମଦ ମୋକିମ।  ଆଜି ବିଜୟ-ମୋକିମଙ୍କ ଭେଟଘାଟରେ  ଓଡ଼ିଶା ରାଜନୀତିକ ମାହୋଲ ସରହଗରମ ହୋଇ ଉଠିଛି। ଏକ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ବଢିଲା ଚର୍ଚ୍ଚା । ପୂର୍ବରୁ ବିଜୟ-ମୋକିମ ଦେଇଥିଲେ ସଙ୍କେତ। ଏବେ ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଉଲ୍ଲେଖନୀୟ ଯେ,ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍। ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଲେଖି ଥିଲେ ଚିଠି । ପିସିସି ସଭାପତିଙ୍କ ପରିଚାଳନାଗତତ୍ରୁଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣି ଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯାଇ ଥିଲା।

ଅନ୍ୟପଟେ ମହମ୍ମଦ ମୋକିମ୍ କହିଥିଲେ, ପିସିସି ସଭାପତିଙ୍କ ଉଦ୍ଦେଶ୍ୟରେ କିଛି କହିବିନି। କିନ୍ତୁ ମୁଁ କଂଗ୍ରେସ ବିଚାର ସହିତ ଅଛି। ମୁଁ ରାଜନୀତି କରିବି ଏବଂ ୩ ଚାରି ଦିନ ଭିତରେ ଓଡିଶା ବୁଲିବି । ତେବେ ପାଣିପାଗ ଦେଖି ଆଗାମୀ ନିଷ୍ପତ୍ତି ନେବି।

ଏହାସହ ମୋକିମ୍ କହିଥିଲେ -ଏଆଇସିସିର କିଛି ବରିଷ୍ଠ ନେତା ତାଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ତେବେ ଏଆଇସିସିକୁ ସେ ଯେଉଁ ଚିଠି ଲେଖିଥିଲେ ତାର ପ୍ରଭାବ ନିଶ୍ଚୟ ପଡିବ । ଚିଠି ମାଧ୍ୟମରେ ଅନେକ ଅକୁହା କଥା କୁହା ଯାଇଛି, କଂଗ୍ରେସରେ ନିଶ୍ଚିତ ସୁଧାର ଆସିବ ବୋଲି କହିଥିଲେ ଏହି ବରିଷ୍ଠ ନେତା।