ନୂଆଦିଲ୍ଲୀ,୦୪/୦୧; ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମିଙ୍କୁ ସୁଯୋଗ ମିଳିନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାମିଙ୍କ କୋଚ୍ । ଘରୋଇ ସିଜିନରେ ତାଙ୍କର ସ୍ଥିର ପ୍ରଦର୍ଶନ ସତ୍ତ୍ୱେ, ମହମ୍ମଦ ଶାମିଙ୍କୁ ଅଣଦେଖା କରାଯାଇଛି । ତାଙ୍କ ପ୍ରଶିକ୍ଷକ ସିଧାସଳଖ ଚୟନକର୍ତ୍ତାଙ୍କୁ ଟାର୍ଗେଟ୍ କରି ପଚାରିଛନ୍ତି ଯେ, ତାଙ୍କୁ ଆଉ କେତେ ୱିକେଟ୍ ନେବାକୁ ପଡ଼ିବ । ଆଉ କ'ଣ କ'ଣ କରିବାକୁ ପଡ଼ିବ ।

ଚୟନକର୍ତ୍ତାଙ୍କୁ ଟାର୍ଗେଟ୍ କରି ମହମ୍ମଦ ସାମିଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ମହମ୍ମଦ ​​​ବଦ୍ଦରୁଦିନ୍ କହିଛନ୍ତି,  ବିସିସିଆଇ ଶାମିଙ୍କୁ ଅଣଦେଖା କରିବାକୁ ନିଷ୍ପତ୍ତି ନେଇ ସାରିଛି । ଜଣେ ଖେଳାଳି ଆଉ କ'ଣ କରିପାରିବେ ? ଜଣେ ଖେଳାଳି ଆଉ କେତେ ୱିକେଟ୍ ନେବା ଉଚିତ୍ ? ମହମ୍ମଦ ଶାମି ଚଳିତ ସିଜନରେ ଘରୋଇ କ୍ରିକେଟରେ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରି ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ୱିକେଟ୍ ନେଇଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍ ଖେଳି ୧୧ ୱିକେଟ୍ ନେଇ ସାରିଛନ୍ତି । ଆସାମ ବିପକ୍ଷରେ ବେଙ୍ଗଲ ପାଇଁ ୩/୫୫ ମଧ୍ୟ ନେଇଥିଲେ। ଚୟନକର୍ତ୍ତାମାନେ ଦ୍ରୁତ ବୋଲରଙ୍କଠାରୁ ଦୂରେଇ ଯାଇଛନ୍ତି ଏହାର ଅର୍ଥ ସେମାନେ ତାଙ୍କୁ ଏକଦିବସୀୟ ଦଳରେ ରଖିବାରୁ ଚାହାଁନ୍ତି ନାହିଁ ।" 

ଅଜିତ୍ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ୧୫ଜଣିଆ ଦଳ ଘୋଷଣା କରିଥିଲା । ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ଦିନିକିଆ ଦଳକୁ ଡାକରା ମିଳିଥିଲା । ହେଲେ ଫିଟ୍ ଓ ଫର୍ମରେ ଥିବା ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଉପେକ୍ଷା କରାଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ଅର୍ଜନ କରିଥିଲେ ହେଁ ଋତୁରାଜଙ୍କୁ ବାଦ୍ ଦିଆଯାଇଥିବାବେଳେ ଚୟନ କମିଟି ଦ୍ୱିତୀୟ ୱିକେଟ୍ କିପର ଭାବେ ରିଷଭ ପନ୍ତଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲା । ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ଚୟନ କମିଟି ଘୋଷଣା କରିଥିଲା । ପାଣ୍ଡ୍ୟା ସମ୍ପ୍ରତି ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି ଓ ଚମତ୍କାର ଫର୍ମରେ ରହିଛନ୍ତି । ତଥାପି ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ନଜରରେ ରଖି ତାଙ୍କୁ ଦିନିକିଆ ସିରିଜରୁ ଦୂରେଇ ରଖାଯାଇଛି । ଜାତୀୟ କ୍ରିକେଟ୍ ଏକାଡେମୀ ପକ୍ଷରୁ ତାଙ୍କୁ ପୂର୍ଣ୍ଣ ୧୦ ଓଭର ବୋଲିଂ କରିବା ପାଇଁ ଅନୁମତି ମିଳି ନାହିଁ ।

ଭାରତୀୟ ଦଳ- ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟାସ ଆୟର (ଉପ ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ରିଷଭ ପନ୍ତ, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ଯଶସ୍ୱୀ ଜୈସ୍ୱାଲ ।