ନୂଆଦିଲ୍ଲୀ,୧୦/୧୨: ଦକ୍ଷିଣୀ ସୁପରଷ୍ଟାର ମଞ୍ଚୁ ମୋହନ ବାବୁଙ୍କ ଘରେ ଚାଲିଥିବା ବିବାଦ ବର୍ତ୍ତମାନ ପୋଲିସ ଷ୍ଟେସନରେ ପହଞ୍ଚିଛି। ମାମଲା ଏତେ ବଢ଼ିଯାଇଛି ଯେ ଉଭୟ ବାପା-ପୁଅଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ ପଡ଼ିଲା ଏବଂ ଉଭୟ ପରସ୍ପର ବିରୋଧରେ ଅଭିଯୋଗ ମଧ୍ୟ ଆଣିଛନ୍ତି। ଗତ ସୋମବାର ଦିନ ମଞ୍ଚୁ ମନୋଜ ପହାଡି ସରିଫ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ ଯେଉଁଥିରେ ଅଭିଯୋଗ ହୋଇଥିଲା ଯେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ସେ ଏବଂ ତାଙ୍କ ପତ୍ନୀଙ୍କ ଜୀବନ ପ୍ରତି ବିପଦ ଅଛି। ମନୋଜଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ମଞ୍ଚୁ ମନୋଜଙ୍କ ପିତା ମୋହନ ବାବୁ ମଧ୍ୟ ରାଧାକୋଣ୍ଡା କମିସନରଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମଞ୍ଚୁଙ୍କ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଜୀବନ ପ୍ରତି ବିପଦ ଥିବା ନେଇ ମନୋଜ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ତେବେ ମଞ୍ଚୁଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ବିବାଦ ବର୍ତ୍ତମାନ ଖବରର ହେଡ୍ଲାଇନ୍ସରେ ରହିଛି।
ଏକ୍ସ ରେ ମୋହନ ବାବୁଙ୍କ ଅଭିଯୋଗ ଉପରେ ମଞ୍ଚୁ ମନୋଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ଏବଂ ମୋ ପତ୍ନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ରୂପେ କପୋଳକଳ୍ପିତ ଓ ମନଗଢ଼ା ଅଟେ। ମୁଁ ସମାଜରେ ମୁକ୍ତ ଭାବରେ ରହୁଛି ଏବଂ ସମାଜରେ ମୋର ସମ୍ମାନ ଅଛି। ଆର୍ଥିକ ସହାୟତା ଏବଂ ସମ୍ପତ୍ତି ପାଇଁ ମୁଁ ମୋ ପରିବାର ଉପରେ ନିର୍ଭରଶୀଳ ନଥିଲି। ମୋ ବାପାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୋର ସାତ ମାସର ଝିଅକୁ ଏହି ବିବାଦ ଭିତରକୁ ଟାଣିବା ଅତ୍ୟନ୍ତ ଅମାନବୀୟ। ଜଣେ ନିଜ ପିଲାମାନଙ୍କୁ ଏହିପରି ମାମଲାକୁ ଟାଣିବା ଉଚିତ୍ ନୁହେଁ। ମୋ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ନୁହେଁ ଏବଂ ମୁଁ କର୍ତ୍ତୃପକ୍ଷଙ୍କୁ ଏହାର ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛି। ”
ମଞ୍ଚୁ ମନୋଜ ଆହୁରି ଲେଖିଛନ୍ତି, “ମୁଁ ସବୁବେଳେ ସତ, ନ୍ୟାୟ ଏବଂ ପାରିବାରିକ ଏକତା ପାଇଁ ଛିଡା ହେବି। ମୋ ପିଲାଦିନରେ ମୋ ବାପାଙ୍କ ଦର୍ଶନ ମୋତେ ପ୍ରେରଣା ଦେଇଥିଲା ଏବଂ ସେ ମୋର ମାର୍ଗଦର୍ଶକ ହୋଇ ରହିଆସିଛନ୍ତି। ଏହା କେବଳ ଉତ୍ତରାଧିକାର ଏବଂ ସମ୍ପତ୍ତିର ବିଷୟ ନୁହେଁ, ଏହା ସତ୍ୟ ଏବଂ ନ୍ୟାୟର ବିଷୟ ଅଟେ। ମୋର ବିଶ୍ୱାସ ଯେ କର୍ତ୍ତୃପକ୍ଷ ନିରପେକ୍ଷ ଭାବରେ ଅନୁସନ୍ଧାନ କରିବେ ଏବଂ ଆଶା କରୁଛି ମତେ ନ୍ୟାୟ ମିଳିବ।'