ନୂଆଦିଲ୍ଲୀ, ୧୧/୦୭ : ୭୫ ବର୍ଷ ହେଲେ ନେତାମାନେ ଅବସର ନେଇ ଅନ୍ୟଙ୍କୁ ସୁଯୋଗ ଦେବା ଉଚିତ୍। ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ। ସେ କହିଛନ୍ତି, ଯେତେବେଳେ ଆପଣଙ୍କୁ ୭୫ ବର୍ଷ ହେବ, ଏହାର ଅର୍ଥ ହେଉଛି ଆପଣ ବର୍ତ୍ତମାନ ଅଟକିଯାଇ ଅନ୍ୟମାନଙ୍କ ପାଇଁ ରାସ୍ତା ଛାଡ଼ିବାକୁ ହେବ। ମୋହନ ଭାଗବତଙ୍କ ଏଭଳି ମନ୍ତବ୍ୟ ପରେ ରାଜନୀତି ଜୋର୍ ଧରିଲାଣି। ସୁଯୋଗବଶତଃ, ସେପ୍ଟେମ୍ଵର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ପୂର୍ତ୍ତି ହେବ। ତେଣୁ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବା ଉଚିତ୍ କି ନାହିଁ ବୋଲି ବିରୋଧୀ ପ୍ରଶ୍ନ କଲେଣି।
ପ୍ରକାଶ ଥାଉକି, ୨୦୨୪ ମେ ମାସରେ ଅରବିନ୍ଦ କେଜ୍ରିୱାଲ ନରେନ୍ଦ୍ର ମୋଦିଙ୍କ ଅବସର ଏବଂ ଉତ୍ତରାଧିକାରୀଙ୍କୁ ନେଇ ପ୍ରଶ୍ନ କରିଥିଲେ। ସେହି ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ ବର୍ଷ ହେବା ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିବେ। ସେବାନିବୃତ୍ତ ହେବେ ନାହିଁ। ବିଜେପିର ସମ୍ବିଧାନରେ ଏମିତି କିଛି ବ୍ୟବସ୍ଥା ନାହିଁ।