ଭୁବନେଶ୍ୱର ୧୨/୦୭: ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ। ରବିବାର ସକାଳ ୫ଟା ୫ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ନେଇ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ବିଶ୍ୱବିଦ୍ୟାଳୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗର ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ବିଶାଖାପାଟଣାର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ବା ପ୍ରାଣହାନିର ଖବର ନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଆଜି ଭୋର୍ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ସମୁଦ୍ର ଗର୍ଭରେ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ବେଳେ ବଙ୍ଗୋପସାଗରର ପ୍ରୟ ୧୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା।
ସମୁଦ୍ର ଭିତରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି। ବିଶେଷ କରି ଓଡ଼ିଶାର ବ୍ରହ୍ମପୁରଠାରୁ ୨୮୨ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ପ୍ରାୟ ୩୬୭ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଏହି କେନ୍ଦ୍ରସ୍ଥଳୀ ରହିଥିଲା। ସେହିପରି ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୨୭ କିଲୋମିଟର ଏବଂ ରାଜମହେନ୍ଦ୍ରୀଠାରୁ ୨୭୫ କିଲୋମିଟର ଦୂର ସମୁଦ୍ର ଭିତରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ଅଧିକ ପଢ଼ନ୍ତୁ :- Weather Forecast: ରାଜ୍ୟରେ ସୋମବାରଠୁ ବଢ଼ିବ ବର୍ଷା ପରିମାଣ, ଆଜି କେନ୍ଦୁଝର ଓ ମୟୂରଭଞ୍ଜ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ସମୁଦ୍ର ଗର୍ଭରେ ଭୂକମ୍ପ ହେବା ପରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହର ବିଶାଖାପାଟଣାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶାଖାପାଟଣାର ଏମଭିପି କଲୋନୀ, ପେଦାୱାଲତେର, ଗାଜୁୱାକା, ୟେନ୍ଦାଡା ଏବଂ ଆରିଲୋଭା ଭଳି ଅଞ୍ଚଳରେ ଲୋକେ ମୃଦୁ ଝଟ୍କା ଅନୁଭୂତ କରିଥିଲେ। କିଛି ସେକେଣ୍ଡ ପାଇଁ ଘରର ଆସବାବପତ୍ର ହଲିଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ତେବେ ଆଶ୍ଵସ୍ତିର କଥା ହେଉଛି, ଭୂକମ୍ପର ତୀବ୍ରତା ମଧ୍ୟମ ଶ୍ରେଣୀର ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ପ୍ରାଣହାନିର ଖବର ହସ୍ତଗତ ହୋଇନାହିଁ। ସେପଟେ ପ୍ରଶାସନ ଏବଂ ପାଣିପାଗ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।