ଚନ୍ଦ୍ରଶେଖରପୁର,୧୨/୦୭:: ସାଲିଆ ସାହି ଉଚ୍ଛେଦ ହେଲା । ରାସ୍ତା କାମ ଆରମ୍ଭ ହୋଇ ଶେଷ ହେଲା । ବହୁ ବର୍ଣ୍ଣାଢ୍ୟରେ ଉଦ୍‌ଘାଟନ ବି ହେଲା । ହେଲେ ଯେଉଁମାନଙ୍କୁ ଉଚ୍ଛେଦ କରି ଚକାଚକ୍ ରାସ୍ତା ନିର୍ମାଣ କରାଗଲା ସେମାନେ ଏବେ ବି ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ଆବାସରେ ପଡ଼ି ରହିଛନ୍ତି । ଦି ଚାରି ଖଣ୍ଡ ବାସନ କୁସନ ଓ କେଇଟା ଲୁଗାପଟାରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବହୁ କଷ୍ଟରେ କରିଥିବା ଆସବାବପତ୍ର ସବୁ ବାହାରେ ପଡ଼ି ରହିଛି । ଖରା ବର୍ଷା ଖାଇ ସେ ସବୁ ନଷ୍ଟ ହୋଇଗଲାଣି । ଦୀର୍ଘ ୮ ମାସ ପରେ ବି ୨୫ରୁ ଊଦ୍ଧ୍ୱର୍ ପରିବାରଙ୍କୁ ଆବାସ ଘର ମିଳିନାହିଁ । ଗୁହାରି କରି ନୟାନ୍ତ ହେଲେଣି । ହେଲେ ଅଧିକାରୀମାନେ ଆଜି ମିଳିବ କାଲି ମିଳିବ କହି ଦିନ ଗଡ଼ାଇ ଚାଲିଛନ୍ତି ବୋଲି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Monsoon Snake Safety: ସାବଧାନ! ବର୍ଷା ଦିନେ ଘରକୁ ପଶିପାରନ୍ତି ବିଷାକ୍ତ ସାପ, ସୁରକ୍ଷିତ ରହିବା ପାଇଁ ଜାଣନ୍ତୁ କ'ଣ କରିବେ...

୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଗତ ବର୍ଷ ନଭେମ୍ବର ମାସରେ ସାଲିଆ ସାହିରୁ ୫୫୬ ପରିବାରଙ୍କୁ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ ସମସ୍ତଙ୍କୁ ବୁଦ୍ଧ ବିହାରରେ ଘର ମିଳିବାର ପ୍ରତଶ୍ରୁତି ଦିଆଯାଇ ସ୍ଥାନାନ୍ତର କରାଯାଇଥିଲା । ଅନେକ ଲୋକଙ୍କୁ ଆବାସ ଗୃହରେ ଥଇଥାନ କରାଯାଇଥିଲା ବେଳେ ୭୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଘର ମିଳି ନଥିଲା । ସେମାନଙ୍କ ମଧ୍ୟରୁ କିଛି ପରିବାରକୁ ପର୍ଯ୍ୟାୟକ୍ରମେ ମାସ ମାସ ବ୍ୟବଧାନରେ ବହୁ ଅଭିଯୋଗ ପରେ ଘର ମିଳିଥିଲା । ହେଲେ ୨୫ ପରିବାରକୁ ବର୍ତ୍ତମାନ ସୁଧା ଥଇଥାନ କରାଯାଇନାହିଁ । ଯାହା ଫଳରେ ସେମାନେ ଆବାସ ଘର ବାହାରେ ଖରା, ବର୍ଷା, ଶୀତ, କାକରରେ ପଡି ରହିଛନ୍ତି । ସେମାନଙ୍କ ମଧ୍ୟରେ କିଛି ବରିଷ୍ଠ ନାଗରିକ,ରୋଗୀ ଓ ଛୋଟ ପିଲା ମଧ୍ୟ ଅଛନ୍ତି ।

ଏନେଇ ଆଦିବାସୀ ଗାଁର ୮୦ ବର୍ଷିୟା ବୃଦ୍ଧା ବେଲମଣି ଦାସ କହିଛନ୍ତି ସାଲିଆ ସାହି ବୋଲି କିଛି ନଥିଲା ଖାଲି ଜଙ୍ଗଲ ଥିଲା । ଜଙ୍ଗଲ ସଫା କରି ଝାଟିମାଟିରେ ଘର କରି ଦୀର୍ଘ ୫୦ ବର୍ଷ ରହିଲି । ମୋ ଘର ଭାଙ୍ଗି ଦେଲେ କହିଲେ ଘର ମିଳିବ ବୋଲି । ବୁଢି ଲୋକ ହୋଇ ବହୁତ ଥର ଯାଇ କହିଲି । ଏବେ ମାସେ ହେଲା ଗୋଡ଼ ଧରି ଦେଇଛି ଯେ ଉଠି ବସି ପାରୁନି । କେହିତ ଆସୁନାହାନ୍ତି କାହାକୁ କହିବି । ସରକାର ହେଲେ ମତେ ମାରି ଦିଅନ୍ତେ । ଏ ବୟସରେ ଏତେ ହିନସ୍ତାରେ ବଞ୍ଚି ଲାଭ କଣ । ସୀତା ବଡ଼ଜେନା କହିଛନ୍ତି, ଦୀର୍ଘ ଦିନ ହେଲା ଖରା ବର୍ଷା ଶୀତ କାକରରେ ପିଲା ଛୁଆଙ୍କୁ ଧରି ପଡ଼ି ରହିଲୁ ।

ଏବେ କମ୍ୟୁନିଟି ଘର ବାରଣ୍ଡାରେ ଆଣି ରଖିଛନ୍ତି । ଦିନରେ ଦୁର୍ଗନ୍ଧରେ ବସି ହେଉନାହିଁ କି ରାତିରେ ମଶାଙ୍କ ଦାଉରେ ଶୋଇ ହେଉନାହିଁ । ବାହାରେ ପଡ଼ି ପଡ଼ି ଜିନିଷପତ୍ର ସବୁ ନଷ୍ଟ ହୋଇ ଗଲାଣି । ଆମ ପାଖରେ ସବୁ ପ୍ରମାଣପତ୍ର ରହିଛି । ବିଏମ୍ସି ଅଫିସ ଦୌଡି ନୟାନ୍ତ ହେଲୁଣି । କେହି ଶୁଣୁ ନାହାନ୍ତି । ଅନ୍ୟପଟେ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, ସାଲିଆସାହିରୁ ବିସ୍ଥାପିତ ହୋଇଥିବା କିଛି ପରିବାରଙ୍କ ପାଖରେ ଏଠାକାର ଆବଶ୍ୟକ କାଗଜପତ୍ର ନାହିଁ । ସେମାନଙ୍କୁ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା । ସେମାନେ ଦେଖାଇ ପାରିନାହାଁନ୍ତି । କେବଳ ଏହି ୨୫ ଘର ନୁହେଁ । ୧୦୦ରୁ ଉଦ୍ଧ୍ୱର୍ ପରିବାରଙ୍କ ପାଖରେ କାଗଜପତ୍ର ନାହିଁ । ଆଉ କିଛି ପରିବାରର ଅନ୍ୟ ସଦସ୍ୟଙ୍କୁ ଘର ଦିଆଯାଇଛି । ପୁଣି ସର୍ଭେ କରାଯାଇ ଘର ଦିଆଯିବ ।