ଭୁବନେଶ୍ୱର, ୨୮/୦୫ : ଏଥର ମୌସୁମୀ ସଅଳ ଆସିଛି। କେରଳରେ ଆଗୁଆ ପହଞ୍ଚିଛି। ଓଡ଼ିଶାରେ ବି ସ୍ୱାଭାବିକ ସମୟଠାରୁ ଆଗୁଆ ପହଞ୍ଚିବ । ଆସନ୍ତା ଦୁଇ ଦିନରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଏଥର ଜୁନ୍ରେ ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ମୌସୁମୀରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଜୁନ୍ରୁ ସେପ୍ଟେମ୍ବର ମାସ ଯାଏ ଦେଶରେ ମୌସୁମୀ ବର୍ଷା ସ୍ଥିତି କିଭଳି ରହିବ, ସେନେଇ ଆଇଏମ୍ଡି ଆଜି ବିସ୍ତୃତ ସୂଚନା ଜାରି କରିଛି।
ଆଇଏମ୍ଡି ପୂର୍ବାନୁମାନ ଅନୁସାରେ, ଏଥର ଦକ୍ଷିଣ ଭାରତର କିଛି ସ୍ଥାନ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଏହାକୁ ଛାଡ଼ି ଦେଶର ବାକି ସବୁ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଅରୁଣାଚଳ, ଆସାମ ଓ ମେଘାଳୟରେ କମ୍ ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାରେ ଭଲ ବର୍ଷା ହେବ। ତେବେ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର କିଛି ସ୍ଥାନରେ କମ୍ ବର୍ଷା ହୋଇପାରେ ବୋଲି ମଡେଲରୁ ଜଣାପଡ଼ିଛି । ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଦକ୍ଷିଣ ଭାରତକୁ ମୌସୁମୀ ଛୁଇଁ ସାରିଛି । ମେ ମାସରେ ପ୍ରାକ୍ ମୌସୁମୀ ବର୍ଷା ଅଧିକ ରହିଛି । ଜୁନ୍ ୧୨ ତାରିଖ ବେଳକୁ ସ୍ୱାଭାବିକ ଭାବେ ମୌସୁମୀ ଓଡ଼ିଶାରେ ପହଞ୍ଚେ । ଏଥର ମୌସୁମୀ ଅଧିକ ସକ୍ରିୟ ଅଛି ଓ କେରଳରେ ଶୀଘ୍ର ପହଞ୍ଚିଛି । ପ୍ରଥମେ ଆରବସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ମହାରାଷ୍ଟ୍ର ଉପକୂଳ ପାଖରେ ଏହା ଅବପାତରେ ପରିଣତ ହୋଇଥିଲା । ମଙ୍ଗଳବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ପ୍ରଭାବରେ ଅଧିକ ମେଘଖଣ୍ଡ ସୃଷ୍ଟି ହୋଇପାରେ । ଏହା ପବନର ଗତିକୁ ବଢ଼ାଇବ ଓ ମୌସୁମୀକୁ ଅଧିକ ସକ୍ରିୟ କରିବ । ଏଥର ମୌସୁମୀରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି।
ମଙ୍ଗଳବାର ଓଡ଼ିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍ଭରମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ଆକଳନ କରିଛି । ଅବପାତ ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ମଧ୍ୟ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) । ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ ବିଭିନ୍ନ ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର(୨୮ ତାରିଖ) ଜଗତ୍ସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୫ଟି ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ଆକଳନ କରାଯାଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର (୨୯ ତାରିଖ) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ । ୩୦ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ଭଲ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ନେଇ ସନ୍ଧ୍ୟା ଭିତରେ ପାରାଦୀପରେ ୩୦.୬ମିମି, ଦାରିଙ୍ଗିବାଡ଼ିରେ ୨୮, ସମ୍ବଲପୁରରେ ୨୬.୪, ହୀରାକୁଦରେ ୨୧.୮, ଭଦ୍ରକରେ ୧୯.୮, ଚାନ୍ଦବାଲିରେ ୧୬.୮ ଓ ପୁରୀରେ ୮.୯ ମିମି ବର୍ଷା ହୋଇଛି । ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ହେଉଥିଲା । ଦେଶରେ ଚଳିତ ବର୍ଷ ମୌସୁମୀରେ ଜୁନ୍ରୁ ସେପ୍ଟେମ୍ବର ମାସରେ ୧୦୬% ବର୍ଷା ହୋଇପାରେ ବୋଲି ଆଇଏମ୍ଡି କହିଛି ।
ପୂର୍ବରୁ ଆଇଏମ୍ଡି ୧୦୫% ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା । ଜୁନ୍ରେ ୧୦୮% ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ପରିମାଣ ୮୭ ସେମିରୁ ବି ଅଧିକ ବଢ଼ିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଗତବର୍ଷ(୨୦୨୪) ରେ ମୌସୁମୀ ବର୍ଷା ସାମାନ୍ୟ ନିଅଣ୍ଟିଆ ରହିଥିଲା । ଜୁନ୍ ମାସରେ ୨୭% କମ୍ ବର୍ଷା ହୋଇଥିଲା । ଜୁଲାଇ ମାସରେ ୨%, ଅଗଷ୍ଟରେ ୮% ନିଅଣ୍ଟିଆ ବର୍ଷା ହୋଇଥିଲା । ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ୧୩% ଅଧିକ ବର୍ଷା ହୋଇଥିଲା । ପୂରା ମୌସୁମୀ ଋତୁରେ ୫% ନିଅଣ୍ଟିଆ ବର୍ଷା ହୋଇଥିବା ଆଇଏମଡି ତଥ୍ୟରୁ ଜଣାପଡ଼ିଛି ।