ଭୁବନେଶ୍ୱର,୧୩/୦୪: ଏଥର ରାଜ୍ୟରେ ଠିକ୍‌ ସମୟରେ ମୌସୁମୀ ବାୟୁ  ପହଞ୍ଚିବ । ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ରହିବ । ଆଗାମୀ ଜୁନ୍‌ ମାସରେ  ବର୍ଷା ସ୍ୱାଭାବିକ ରହିବ । ଜୁଲାଇ ମାସ ଅଧାରୁ ଅଗଷ୍ଟ ମାସ ଅଧା ଯାଏ ବର୍ଷା  କମିବ । ଅକ୍ଟେ୍‌ାବର ମାସରେ ବର୍ଷା ପରିମାଣ ଅଧିକ ରହିବ । ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ଆମେରିକାର ଏକ ପାଣିପାଗ ମଡେଲର ତଥ୍ୟକୁ ଆଧାର କରି ସେ  କହିଛନ୍ତି, ଏବେ ଇଏନଏସଓ (ଏଲ୍‌ ନିନୋ ସାଉଥର୍ଣ୍ଣ ଓସିଲେସନ) ନିଉଟ୍ରାଲ  ଅବସ୍ଥାରେ ରହିଛି । ନିଉଟ୍ରାଲ ସ୍ଥିତି ରହିଲେ ଲା ନିନା ବା ଏଲ୍‌ ନିନୋର ପ୍ରଭାବ  ନାହିଁ । ଲା ନିନା ପ୍ରଭାବରେ ବର୍ଷା ଅଧିକ ହୁଏ । ଏଲ୍‌ ନିନୋ ପ୍ରଭାବ ରହିଲେ ବର୍ଷା  କମ୍‌ ହୁଏ । କିନ୍ତୁ ନିଉଟ୍ରାଲ ରହିଲେ ପାଣିପାଗର ଆକଳନ କରିବା କଷ୍ଟ । କିନ୍ତୁ  ଆଗକୁ ଏଲ୍‌ ନିନୋ ନ ଥିବାରୁ ବର୍ଷା କମିବାର ସମ୍ଭାବନା ନାହିଁ । ଏଣୁ ଆଗାମୀ  ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ସେ କହିଛନ୍ତି । ଏଥର ଅଧିକ ଗରମ ବା ଅଧିକ ବର୍ଷା ସମ୍ଭାବନା ନାହିଁ ।  

ମୌସୁମୀ ଶେଷ ଯାଏ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା  ସ୍ୱାଭାବିକ ରହିବ । ଅକ୍ଟୋବର ପରେ ବି ନିଉଟ୍ରାଲ ଅବସ୍ଥା ଜାରି ରହିବ ବୋଲି  ପ୍ରଫେସର ଡ. ପଶୁପାଳକ ପ୍ରାଥମିକ ଆକଳନ କରିଛନ୍ତି ।