ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାଜ୍ୟସଭାରେ ଗୁରୁବାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଜ ମନ୍ତ୍ରୀ କହିଛନ୍ତି ଯେ, ୨୦୨୫ ବର୍ଷର ପ୍ରଥମ ଛଅ ମାସ (ଜାନୁଆରୀରୁ ଜୁନ୍) ମଧ୍ୟରେ ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୨୦୨୪ ରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଛି । ଦୁର୍ଘଟଣା ରୋକିବା ପାଇଁ ସରକାର ଏଟିଏମ୍ଏସ, ସଡ଼କ ସୁରକ୍ଷା ଅଡିଟ୍ ଏବଂ କଠୋର ଟ୍ରାଫିକ୍ ନିୟମ କାର୍ଯ୍ୟକାରୀ କରିଛନ୍ତି । ଏହା ସହିତ, ଜନସଚେତନତା ଅଭିଯାନ ମଧ୍ୟ ଚାଲିଛି ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କିଛି ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜପଥ ଏବଂ ଏକ୍ସପ୍ରେସୱେରେ ଆଡଭାନ୍ସଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ATMS) ସ୍ଥାପନ କରିଛି। ଏଥିରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ, ଟ୍ରାନ୍ସ-ହରିଆଣା, ପୂର୍ବ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ରୁଟ୍ ଅନ୍ତର୍ଭୁକ୍ତ ।
ସେ କହିଛନ୍ତି ଯେ, ଏହି ସିଷ୍ଟମରେ ଇଲେକ୍ଟ୍ରୋନିକ୍ ମନିଟରିଂ ଉପକରଣ ରହିଛି । ଏହା ଦୁର୍ଘଟଣା କିମ୍ବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ସୂଚନା ଦେଇଥାଏ। ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ସହାୟତାଯୋଗାଇ ଦିଆଯାଇ ପାରିବ । NHAIର ସମସ୍ତ ନୂତନ ହାଇ ଡେନସିଟି ଏବଂ ହାଇ-ସ୍ପିଡ୍ କରିଡର ପ୍ରକଳ୍ପରେ ATMS ଲାଗୁ କରାଯାଇଛି। ଏହାକୁ ପୁରୁଣା ରାଜପଥରେ ଏକ ପୃଥକ ପ୍ରକଳ୍ପ ଭାବରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ ୧,୧୨,୫୬୧ କିଲୋମିଟର ଜାତୀୟ ରାଜପଥର ସଡ଼କ ସୁରକ୍ଷା ଅଡିଟ୍ କରାଯାଇଛି ।
ଭାରତରେ ସଡ଼କ ଦୁର୍ଘଟଣା ଏକ ଗମ୍ଭୀର ସମସ୍ୟା ପାଲଟିଛି । ୨୦୨୨ରେ ଦେଶରେ ୪.୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଦୁଇଚକିଆ ଯାନ ବେଶୀ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର କାରଣ ସାଧାରଣତଃ - ଦ୍ରୁତ ଗତି, ହେଲମେଟ୍ ବିନା ବାଇକ୍ ଚଲାଇବା ଏବଂ ଲୋକମାନେ ଭୁଲ ଉପାୟରେ ରାସ୍ତା ପାର ହେବା ଆଦି ସାମିଲ । ସରକାର ଏବେ ରାସ୍ତା ସୁରକ୍ଷା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଯାହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।