ନୂଆଦିଲ୍ଲୀ, ୦୫/୦୫: ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବଡ଼ ମିଳିଥିବା ବେଳେ କେରଳରେ ୟୁଡିଏଫ, ପୁଡୁଚେରୀରେ ବିଜେପି ମେଣ୍ଟକୁ ବହୁମତ ମିଳିଛି । ମାତ୍ର ତାମିଲନାଡ଼ୁରେ ଟିଭିକେ ଶତାଧିକ ବିଧାନସଭା ଆସନ ଅକ୍ତିଆର କରି ବଡ଼ ଭାବେ ଉଭା ହୋଇଛି । ତେବେ ୨୦୨୬ ନିର୍ବାଚନକୁ ଯଦି ଦେଖିବା ଏଥିରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଆସାମ, କେରଳ, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ କଂଗ୍ରେସର ଯେଉଁ ପ୍ରାର୍ଥୀମାନେ ଜିତିଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ମୁସଲିମ୍ ନେତା ।  

ଆସମାରେ ୧୯ରୁ ୧୮ ଆସନରେ..

ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୯ଟି ସିଟ୍ ମିଳିଛି । ଏଥିରୁ ୧୮ଟି ଆସନରେ ମୁସଲିମ୍ ପ୍ରାର୍ଥୀଙ୍କ ବିଜୟ ହୋଇଛି ।  ଦଳ ମୋଟ୍ ୨୦ ମୁସଲିମ୍ ପ୍ରାର୍ଥୀକୁ ଟିକେଟ୍ ଦେଇଥିଲା । ଯେଉଁଥିରେ ୧୮ଜଣ ଜିତିଛନ୍ତି । ଅଣମୁସଲିମ୍ ପ୍ରାର୍ଥୀମାନଙ୍କ ମଧ୍ୟରୁ କେବଳ ଜଣେ ଜିତିପାରିଛନ୍ତି। କଂଗ୍ରେସର ସହଯୋଗୀ ଦଳ ରାଇଜରକୁ ମାତ୍ର ୨ଟି ଆସନ ମିଳିଛି । ଯେଇଁଥିରେ ଜଣେ ପ୍ରାର୍ଥୀ ମୁସଲିମ ରହିଥିବା ବେଳେ ଅନ୍ୟ ଜଣେ ଅଖିଲ ଗୋଗୋଇ ଅଛନ୍ତି ।

କେରଳରୁ ୩୫ ମୁସଲିମ୍ ବିଧାୟକ:

୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ୩୫ଜଣ ମୁସଲିମ୍ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏଥିରୁ ୩୦ଜଣ କଂଗ୍ରେସ ନେତୃତ୍ୱ ଥିବା UDF ମହାଗଠବନ୍ଧନରୁ ଅଛନ୍ତି । ଯେଉଁଥିରେ ୮ଜଣ କଂଗ୍ରେସ ଓ ୨୨ଜଣ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗରୁ ଅଛନ୍ତି ।

ପଶ୍ଚିମବଙ୍ଗ ଓ ତମିଳନାଡୁର ଚିତ୍ର:
ପଶ୍ଚିମବଙ୍ଗରେ କଂଗ୍ରେସକୁ ୨ଟି ଆସନ ମିଳିଛି ।ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀ ମୁସଲିମ ସମ୍ପ୍ରଦାୟରୁ ଅଛନ୍ତି ।  ରାଜ୍ୟରେ କଂଗ୍ରେସ ମୋଟ୍ ୬୩ଜଣ ମୁସଲିମ୍ ପ୍ରାର୍ଥୀକୁ ଟିକେଟ୍ ଦେଇଥିଲା । ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ ୪୭ଜଣ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା । ସେହିପରି ତମିଳନାଡୁରେ କଂଗ୍ରେସ ୨ଜଣ ମୁସଲିମ୍ ପ୍ରାର୍ଥୀକୁ ଟିକେଟ୍ ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ମୁସଲିମ୍ ପ୍ରାର୍ଥୀଙ୍କ ଜିତ ହାର ୮୦ ପ୍ରତିଶତ:

ମିଳିଥିବା ତଥ୍ୟ ଅନୁଯାୟୀ, ଆସମ ଓ କେରଳରେ କଂଗ୍ରେସ ଗଠବନ୍ଧନର ମୁସଲିମ୍ ପ୍ରାର୍ଥୀମାନଙ୍କର ବିଜୟ ହାର ପ୍ରାୟ ୮୦ ପ୍ରତିଶତ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ୨୦୬  ଆସନରେ ଜିତିଛି । ଏହା ସହିତ ରାଜ୍ୟରେ ୧୫ ବର୍ଷ ଧରି ରାଜ୍ କରୁଥିବା ତୃଣମୂଳ କଂଗ୍ରେସ ସରକାରକୁ ହଟାଇଛି । ଆସମରେ NDA ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ମେଣ୍ଟକୁ ୧୨୬ ଆସନରୁ ୧୦୨ ମିଳିଛି । ତମିଳନାଡୁରେ ଅଭିନେତା-ରାଜନେତା ବିଜୟଙ୍କ ଦଳ TVK ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। କେରଳରେ ୧୦ ବର୍ଷ ପରେ କ୍ଷମତା ପରିବର୍ତ୍ତନ ହୋଇ କଂଗ୍ରେସ ନେତୃତ୍ୱାଧୀନ ଗଠବନ୍ଧନ ପୁନର୍ବାର ସରକାର ଗଠନ କରିବାକୁ ଯାଉଛି ।

ଅଧିକ ପଢନ୍ତୁ- ମମତା ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ କ'ଣ କରିବେ ? ଆସନ୍ତୁ ଜାଣିବା …