ନୂଆଦିଲ୍ଲୀ, ୧୬/୦୧ : ମୃତ୍ୟୁକୁ ମାତ୍ ଦେଲେ ଶତାୟୁ। ଜୁଇରୁ ଜିଇ ଉଠିଲେ ବୃଦ୍ଧା। ଅନ୍ତିମ ସଂସ୍କାର ବେଳେ ଫେରି ପାଇଲେ ଜୀବନ। ଜନ୍ମଦିନରେ ମିଳିଲା ନୂଆ ଜୀବନ। ଶେଷ ଦର୍ଶନ ପାଇଁ ଯାଇଥିଲେ, କେକ୍ ଖାଇ ଫେରିଲେ ପରିଜନ। କୌଣସି ଚମତ୍କାରଠୁ କମ୍ ନୁହେଁ ଏହି ଘଟଣା। ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଏହି ଶତାୟୁ ମହିଳା ବଞ୍ଚିଉଠିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ବଡ଼ ସଂଯୋଗ ହେଉଛି, ଅନ୍ତିମ ସଂସ୍କାର ଦିନ ତାଙ୍କର ଜନ୍ମଦିନ ଥିଲା।

ନାଗପୁର ଜିଲ୍ଲାର ରାମଟେକ ବାସିନ୍ଦା ୧୦୩ ବର୍ଷୀୟା ଗଙ୍ଗାବାଈ ସଖାରେ। ଗତ ସୋମବାର ସନ୍ଧ୍ୟାରେ ଗଙ୍ଗାବାଈଙ୍କ ଶରୀର ଶିଥିଳ ପଡ଼ିଯିବାରୁ ପରିବାର ତାଙ୍କୁ ମୃତ ଭାବିନେଲେ। ତାଙ୍କର ଅନ୍ତିମ ସଂସ୍କାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେଲା । ପରିଜନଙ୍କୁ ଖବର ଦିଆଗଲା । ମଙ୍ଗଳବାର ସକାଳେ ଗଙ୍ଗାବାଈଙ୍କୁ ନୂଆ ଶାଢ଼ି ପିନ୍ଧାଇ ଦିଆଗଲା । ତାଙ୍କ ହାତଗୋଡ଼ ବାନ୍ଧି ଦିଆଗଲା । ପରମ୍ପରା ଅନୁସାରେ ନାକରେ ତୁଳା ମଧ୍ୟ ଲଗାଇ ଦିଆଗଲା । ତାଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ପରିଜନମାନେ ଦୂରଦୂରାନ୍ତରୁ ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଲେ । ଗଙ୍ଗାବାଈଙ୍କ ନାତି ହଠାତ୍ ତାଙ୍କ ଗୋଡ଼ରେ ହାଲୁକା ହଲ୍ଚଲ୍ ଲକ୍ଷ୍ୟ କଲେ । ନାକରୁ ତୁଳା ବାହାର କରିବା ମାତ୍ରେ ଗଙ୍ଗାବାଈ ଗଭୀର ନିଃଶ୍ୱାସ ଛାଡ଼ିଲେ । ସେ ବଞ୍ଚିଥିଲେ । ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ପରିଜନ ଏହା ଦେଖି ଚକିତ ହୋଇଗଲେ । ଗଙ୍ଗାବାଈଙ୍କୁ ସମାଧିସ୍ଥଳରୁ ଘରକୁ ନିଆଗଲା । ଅନ୍ତିମ ସଂସ୍କାର ନିମନ୍ତେ ବନ୍ଧାଯାଇଥିବା ଟେଣ୍ଟ୍ ଖୋଲାଗଲା ।

ସଂଯୋଗର ବିଷୟ, ସେଦିନ ଗଙ୍ଗାବାଈଙ୍କ ଜନ୍ମଦିନ ଥିଲା ବୋଲି ଘର ଲୋକଙ୍କର ମନେପଡ଼ିଗଲା । ଏହି ଚମତ୍କାର ଘଟଣା ପରେ ସମସ୍ତେ ଗଙ୍ଗାବାଈଙ୍କର ୧୦୩ତମ ଜନ୍ମଦିନ ପାଳନ କଲେ । ଯେଉଁମାନେ ମନ ଦୁଃଖରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲେ, ସେମାନେ ତାଙ୍କ ଜନ୍ମଦିନ କେକ୍ ଖାଇ ମନଖୁସିରେ ଫେରିଲେ। ଶତାୟୁ ଗଙ୍ଗାବାଈଙ୍କୁ ପଡ଼ୋଶୀ ‘ଜୀବନ୍ତ ଚମତ୍କାର’ ନାମରେ ସମ୍ବୋଧନ କରିଛନ୍ତି । ନୂଆ ଜୀବନ ପାଇଥିବା ଗଙ୍ଗାବାଈଙ୍କୁ ଦେଖିବାକୁ ତାଙ୍କ ଘରେ ଏବେ ପଡ଼ୋଶୀ ଓ ଗାଁ ଲୋକଙ୍କ ଭିଡ଼ ଜମୁଛି।