- ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍ ଅଫିସର
- ୧୧ ବର୍ଷରେ କଲେଣି ୩ ବିବାହ
- ୩ ପତ୍ନୀ ଆଇଏଏସ୍ ଅଧିକାରୀ
- ଦୁଇ ପତ୍ନୀ କଲେକ୍ଟର,ତୃତୀୟ ଡେପୁଟି ସେକ୍ରେଟରୀ
ନୂଆଦିଲ୍ଲୀ,୧୮।୨ : ଜଣେ ଆଇଏଏସ୍ ଅଫିସର ଆଉ ଜଣେ ଆଇଏଏସ୍ ଅଫିସରକୁ ବିବାହ କରିବା କିଛି ନୂଆ କଥା ନୁହେଁ। ଏହା ଏବେ ଏକ ସାଧାରଣ କଥା ପାଲଟିଛି। ହେଲେ ମଧ୍ୟ ପ୍ରଦେଶର ଜଣେ ପ୍ରଶାସନିକ ଅଧିକାରୀ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ସେ ହେଲେ ଅଭି ପ୍ରସାଦ। ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ତାଙ୍କର ସମସ୍ତ ୩ ଜଣ ପତ୍ନୀ ହେଉଛନ୍ତି ଆଇଏଏସ୍ ଅଫିସର। ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ଅଭି ପ୍ରସାଦ ଗତ ୧୧ ତାରିଖରେ କୁନୋ ନ୍ୟାସନାଲ ପାର୍କରେ ବିବାହ କରିଛନ୍ତି। ଏଥର ସେ ୨୦୧୭ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅଙ୍କିତା ଧାକରେଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟ ପ୍ରଶାସନିକ ବିଭାଗରେ ଉପ-ସଚିବ ଭାବରେ କାର୍ଯ୍ୟରତ। ଉଭୟଙ୍କ ଏହି ଚର୍ଚ୍ଚିତ ବିବାହର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି।
ଅଭି ପ୍ରସାଦ କେବଳ ତାଙ୍କ ବ୍ୟକ୍ତିଗତ ଜୀବନ ନୁହେଁ, ବଂର ବୃତ୍ତିଗତ ଜୀବନରେ ବି ତାଠାରୁ ଅଧିକ ଚର୍ଚ୍ଚିତ। ତାଙ୍କୁ ମଧ୍ୟପ୍ରଦେଶ ସରକାରଙ୍କ ଜଣେ ବିଶ୍ୱସ୍ତ ଏବଂ ସକ୍ରିୟ ଅଧିକାରୀ ଭାବରେ ଜଣାଯାଏ। ସେ ବର୍ଷ ବର୍ଷ ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜିଲ୍ଲା ପଞ୍ଚାୟତ ସିଇଓ ଏବଂ ବିଭିନ୍ନ ଜିଲ୍ଲାରେ କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି। ଯେତେବେଳେ ସେ କଟନିର କଲେକ୍ଟର ଥିଲେ, ସେତେବେଳେ କୁପୋଷଣ ଦୂର କରିବା ପାଇଁ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ସେ ମଧ୍ୟପ୍ରଦେଶରେ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପୈତୃକ ଘର ହେଉଛି ଉତ୍ତର ପ୍ରଦେଶର ସୀତାପୁର। ସେ ୨୦୧୩ରେ ୟୁପିଏସ୍ସି ପରୀକ୍ଷା କ୍ଲିଅର କରି ଆଇପିଏସ୍ ଭାବରେ ଜଏନ୍ କରିଥିଲେ। ତେବେ ସେ ଦ୍ବିତୀୟ ଥର ଚେଷ୍ଟା କରିଥିଲେ, ୨୦୧୪ ରେ ୟୁପିଏସ୍ସିରେ ଅଲ୍ ଇଣ୍ଡିଆ ରାଙ୍କିଙ୍ଗରେ ୧୩ ତମ ସ୍ଥାନ ହାସଲ କରି ଆଇଏଏସ୍ ଅଫିସର ହୋଇଥିଲେ। ଏହା ବାଦ୍ ଅଭି ପ୍ରସାଦ ଏକ ରାଜନୈତିକ ପରିବାରକୁ ଆସନ୍ତି। ତାଙ୍କର ଜେଜେବାପା ହେଉଛନ୍ତି ତାମ୍ବେଶ୍ବର ପ୍ରସାଦ ଓରଫ୍ ବଚ୍ଚା ବାବୁ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି।
ଅଭିଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରିଜୁ ବଫନା। ସେ ବର୍ତ୍ତମାନ ମଧ୍ୟପ୍ରଦେଶର ଶାହଜାହାନପୁରର ଜିଲ୍ଲାପାଳ ଅଛନ୍ତି। ଦୁହେଁ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ବେଳେ ପରସ୍ପରକୁ ଦିଲ୍ଳୀରେ ଭେଟିଥିଲେ। ବିବାହର ମାତ୍ର କିଛି ବର୍ଷ ପରେ ହୋଇଯାଇଥିଲା ଡିଭୋର୍ସ। ତା ପରେ ସେ ୨୦୧୬ ବ୍ୟାଚ୍ ଆଇଏଏସ୍ ଅଫିସର ମିଶା ସିଂହଙ୍କୁ ବିବାହ କରିଥିଲେ। ବିବାହ ପରେ ମିଶା ମଧ୍ୟ ପ୍ରଦେଶ କ୍ୟାଡରକୁ ଚାଲିଯାଇଥିଲେ। ମାତ୍ର ୪ ବର୍ଷ ଚାଲିଥିଲା ବିବାହ। ୨୦୨୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଶା ରତଲାମ୍ କଲେକ୍ଟର ଭାବରେ କାର୍ଯ୍ୟରତ। ଦୁଇ ଆଇଏଏସ୍ ପତ୍ନୀଙ୍କୁ ଛାଡପତ୍ର ପରେ ଏବେ ତୃତୀୟ ଥର ପାଇଁ ଆଉ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବିବାହ କରି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭି ପ୍ରସାଦ ।
ଆହୁରି ପଢନ୍ତୁ : ଭାରତୀୟଙ୍କୁ ଉଦାରତା ଦେଖାଇଲେ ଜୁସ୍ ବିକ୍ରେତା, କହିଲେ ‘ହିନ୍ଦୁସ୍ତାନ ଜିନ୍ଦାବାଦ, ହିନ୍ଦୁସ୍ତାନୀ ମୋ ବନ୍ଧୁ’