ନୂଆଦିଲ୍ଲୀ,୨୭/୧୦: ମହିଳା ବିଶ୍ୱକପ ଖେଳିବା ପାଇଁ ଅଷ୍ଟ୍ରେଲିଆ ଦଳ ଭାରତ ଆସିଛି । ଦୁଇ ଦିନ ତଳେ ଇନ୍ଦୋରରେ ଦୁଇ ମହିଳା ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ଆସିଥିଲା । ଜଣେ ଯୁବକ ଦୁଇ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣାଟି ଦେଶକୁ ଲଜ୍ଜିତ କରିଥିଲା । ପୁଲିସ୍ ଉକ୍ତ ଯୁବକକୁ ଗିରଫ ମଧ୍ୟ କରିଛି । ଏହି ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ତଥା ମଧ୍ୟପ୍ରଦେଶ ମନ୍ତ୍ରୀ କୈଳାସ ବିଜୟବର୍ଗୀୟ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
କୈଳାସ ବିଜୟବର୍ଗୀୟ ଏକ ଅଜବ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି, ''ସେମାନଙ୍କୁ ଉଚିତ୍ ଶିକ୍ଷା ମିଳିଛି । ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅଧିକ ସାବଧାନ ରହିବାକୁ ହେବ । କାହାକୁ ନ କହି ସେମାନ ଅଚାନକ କାହିଁକି ଯାଇଥିଲେ ? ପ୍ରଶିକ୍ଷକଙ୍କୁ ମଧ୍ୟ କହି ନଥିଲେ । ସେମାନଙ୍କୁ କହିକି ଯିବାର ଥିଲା । ନ କହିକି ସେମାନଙ୍କ ବଡ଼ ଭୁଲ । ସେଠାରେ ପୁଲିସ୍ ଥିଲେ ହେଲେ ସେମାନେ କାହା ନଜରରେ ଆସିଲେ ନାହିଁ । ପ୍ଲେୟାରମାନେ ସ୍ଥାନ ଛାଡିବା ପୂର୍ବରୁ ଚିନ୍ତା କରିବା ଦରକାର । ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କୁ ସୂଚନା ଦେବା ଦରକାର । କାରଣ ଭାରତରେ କ୍ରିକେଟରଙ୍କୁ ନେଇ ଅଧିକ କ୍ରେଜ୍ ରହିଛି । ଏହା ଦୁର୍ଭାଗ୍ୟଜନକ କିନ୍ତୁ ଖେଳାଳିଙ୍କୁ ଏଥିରୁ କିଛି ଶିଖିବାର ଅଛି । ଯେତେବେଳେ ଆମେ ଅନ୍ୟ ଦେଶ କିମ୍ବା ସହରକୁ ଯାତ୍ରା କରୁ, ଆମକୁ ମଧ୍ୟ ଆମର ନିଜର ସୁରକ୍ଷା ପ୍ରତି ଚିନ୍ତିତ ହେବା ଉଚିତ୍ । ଖେଳାଳିମାନେ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ ଏବଂ ସେମାନଙ୍କ ଗନ୍ତବ୍ୟସ୍ଥଳ ଛାଡିବା ସମୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇବା ଉଚିତ୍ ।''
କହି ରଖୁଛି କି, ଗତ ୨୫ ତାରିଖରେ ଘଟଣାଟି ଘଟିଥିଲା । ହୋଟେଲ୍ରୁ କାଫେ ଯାଉଥିବା ବେଳେ ଜଣେ ବାଇକ ଚାଳକ ଦୁଇ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଅଷ୍ଟ୍ରେଲୀୟ ଖେଳାଳି ତୁରନ୍ତ ଦଳର ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କୁ ଏକ ଏସଓଏସ ପଠାଇଥିଲେ । ସୁରକ୍ଷା ଦଳ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଫିସିଆଲ ଅଭିଯୋଗ ହେବା ପରେ ତୁରନ୍ତ ଆକ୍ସନ ଗ୍ରହଣ କରି ପୁଲିସ୍ ଅଭିଯୁକ୍ତ ଆକିଲକୁ ଗିରଫ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ବିଶେଷକରି ଅନ୍ତର୍ଜାତୀୟ ଖେଳାଳିମାନେ ସହରରେ ଉପସ୍ଥିତ ଥିବାବେଳେ ଏପରି ଘଟଣା ଘଟିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ।