ନୂଆଦିଲ୍ଲୀ,୧୭/୧୨: ନୂଆ ଦିନ ନୂଆ ଟପିକ୍ । ଗତକାଲି ପାଲେଷ୍ଟାଇନ ଆଜି ବାଂଲେଦେଶୀ ହିନ୍ଦୁଙ୍କ ସମର୍ଥନ । ହ୍ୟାଣ୍ଡବ୍ୟାଗକୁ ନେଇ ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ପାଲେଷ୍ଟାଇନ ପରେ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖା ଥିବା ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି ପ୍ରିୟଙ୍କା । ଗତକାଲି (ସୋମବାର) ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ‘ପାଲେଷ୍ଟାଇନ୍’ଲେଖାଥିଲା । ଏବେ ପୁଣି ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖା ହ୍ୟାଣ୍ଡବ୍ୟାଗ ଆଣି ଚର୍ଚ୍ଚାକୁ ଆସିଛନ୍ତି ।

ସଂସଦର ଶୀତ ଅଧିବେଶନରେ ଆଜି ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖା ଥିବା ହ୍ୟାଣ୍ଡବ୍ୟାଗ ଧରି ପହଞ୍ଚିଛନ୍ତି । ପାଲେଷ୍ଟାଇନ ସମର୍ଥନ ବ୍ୟାଗ ନେଇ ସଂସଦରେ ପହଞ୍ଚିବା ପରେ ବିଜେପି ଏହାର ବିରୋଧ କରିଥିଲା । କହିଥିଲା ପ୍ରିୟଙ୍କା ଏବଂ କଂଗ୍ରେସକୁ ବାଂଲାଦେଶୀ ହିନ୍ଦୁଙ୍କ ଦୁଃଖ ଦେଖାଯାଉନାହିଁ । ଏହାପରେ ଆଜି ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନ ଲେଖା ବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ ସାଂସଦ ପ୍ରିୟଙ୍କା । ସେଥିରେ ଲେଖା ଅଛି- 'ବାଂଲାଦେଶୀ ହିନ୍ଦୁ ଏବଂ ଇସାଇଙ୍କ ସହ ଛିଡା ହୋଇଛି' ।

ସେପଟେ ବାଂଲାଦେଶୀ ହିନ୍ଦୁଙ୍କ ସମର୍ଥନରେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ ଦଳ । ହାତରେ ବାଂଲାଦେଶ ହିନ୍ଦୁ ଓ ଇସାଇଙ୍କ ସମର୍ଥନରେ ଛିଡା ହୋଇଥିବା ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଜବାବ ଦିଅ ଭାରତ ସରକାର ହୋସକୁ ଆସ ବୋଲି ନାରା ଦେଇଛନ୍ତି ।

ପ୍ରକାଶ ଥାଉ କି, ଗତକାଲି (ସୋମବାର) କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଲେଷ୍ଟାଇନୀ ଲେଖାଥିବା ଏକ ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ । ପାଲେଷ୍ଟାଇନ ସମର୍ଥନରେ ଏକ ବ୍ୟାଗ ଧରି ଆସିବା ପରେ ବିବାଦ ଉପୁଜିଥିଲା । ବିଜେପି ପକ୍ଷରୁ ସମାଲୋଚନା କରିଥିଲା ବିଜେପି । ପ୍ରିୟଙ୍କା ଆଣିଥିବା ବ୍ୟାଗରେ ଲେଖାଥିଲା 'ପାଲେଷ୍ଟାଇନ ସ୍ବାଧୀନ ହେବ' ।