ନୂଆଦିଲ୍ଲୀ,୧୨/୧୧: ମୁମ୍ବାଇର ଯୁବ ବ୍ୟାଟର ଆୟୂଷ  ମାହତ୍ରେ ଘରୋଇ କ୍ରିକେଟରେ  ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତର ପୂର୍ବତନ ଅଧିନାୟକ  ମହେନ୍ଦ୍ର ସିଂହ ଧୋନି ମଧ୍ୟ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି ।  ଫଳରେ ତାଙ୍କ ପରାମର୍ଶ କ୍ରମେ  ଆଇପିଏଲ୍‌ ଫ୍ରାଞ୍ଚାଇଜ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ମାହତ୍ରେଙ୍କୁ ଟ୍ରାଏଲ ପାଇଁ ଡକା ଯାଇଛି । ସେ ଆସନ୍ତା ସପ୍ତାହ ସୁପରକିଙ୍ଗ୍‌ସର  ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ନାଭାଲୁର  ଗ୍ରାଉଣ୍ଡ୍‌)ରେ ଟ୍ରାଏଲ ଦେବେ । ଯଦି ସେ ଭଲ ପ୍ରଦର୍ଶନ କରନ୍ତି,  ତା’ହେଲେ ଆଗାମୀ ଆଇପିଏଲ୍‌ ନିଲାମରେ ସୁପରକିଙ୍ଗ୍‌ସ ତାଙ୍କୁ କିଣିବା ଏକ ପ୍ରକାର ନିଶ୍ଚିତ । 

ମାହତ୍ରେଙ୍କୁ ଏବେ ମାତ୍ର  ୧୭ ବର୍ଷ । ସେ ଗତ ଇରାନୀ କପ୍‌ରେ ମୁମ୍ବାଇ ପକ୍ଷରୁ ପ୍ରଥମ  ଶ୍ରେଣୀ କ୍ରିକେଟ୍‌ରେ ପଦାର୍ପଣ  କରିଥିଲେ । ୫ଟି ମ୍ୟାଚ୍‌ରୁ ୩୫.୬୬  ଆଭରେଜରେ ୩୨୧ରନ୍‌ ସଂଗ୍ରହ  କରିଥିଲେ । ସେଥିମଧ୍ୟରେ ଗୋଟିଏ  ଶତକ ଓ ଗୋଟିଏ ଅର୍ଦ୍ଧଶତକ  ସାମିଲ ରହିଥିଲା । ଚଳିତ ରଣଜୀ  ଟ୍ରଫିରେ ଗତ ମହାରାଷ୍ଟ୍ର ବିପକ୍ଷ  ମ୍ୟାଚ୍‌ରେ ମାହତ୍ରେ ୧୭୬ରନ୍‌ର  ମାରାଥନ ଇନିଂସ୍‌ ଖେଳି ସମସ୍ତଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ । ରଣଜୀ  ଟ୍ରଫିର ପଞ୍ଚମ ରାଉଣ୍ଡ ଆସନ୍ତା ୧୬  ତାରିଖ ଶେଷ ହେବ । ଏହାପରେ  ୨୩ତାରିଖରୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳାଯିବ । ମୁମ୍ବାଇ  ଦଳରେ ମାହତ୍ରେଙ୍କୁ ସ୍ଥାନ ମିଳିଛି ।