ଭଞ୍ଜନଗର,୨୨/୧୧ : ବହୁ ଚର୍ଚ୍ଚିତ ଜଗନ୍ନାଥ ପ୍ରସାଦ ପବନା ସେଠୀ ହତ୍ୟା ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଘଟଣାରେ ଜଡ଼ିତ ୫ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ୨୦୧୯ମସିହା ନଭେମ୍ବର ୧୧ତାରିଖରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଜଳି ସାହି ବାସିନ୍ଦା ପବନା ସେଠୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ଛୁରି ଭୁସି ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଶନିବାର ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମହମ୍ମଦ କଏସ ଏହି ହତ୍ୟା ମାମଲାର ବିଚାର କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମୋଟ ୨୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏଡିଜେ ମହମ୍ମଦ କଏସ ଏଭଳି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଅନାଦେୟସ୍ଥଳେ ଅଧିକ ୧ ବର୍ଷ ଲେଖାଏଁ ଜେଲ୍ଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଯାଇଛି। ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ, ଜଗନ୍ନାଥପ୍ରସାଦ ଜଳିସାହିର ବସନ୍ତ ସେଠୀ, ଦିଲୀପ ସେଠୀ, ଅଭିମନ୍ୟୁ ସେଠୀ, ଶ୍ୱେତ ସେଠୀ ଓ ସନ୍ତୋଷ ସାମଲ। ଏ ନେଇ ସରକାରୀ ଆଇନଜୀବୀ ଡ.ସୁଶାନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ମୃତକ ପବନାଙ୍କ ସହ ଅଭିଯୁକ୍ତ ବସନ୍ତ ସେଠୀର ପୂର୍ବ ଶତ୍ରୁତା ଲାଗି ରହିଥିଲା । ଘଟଣା ଦିନ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ସହ ମାରପିଟ ହୋଇଥିଲା । ରାତିରେ ବସନ୍ତ ଏକ ଛୁରି ଧରି ପବନାଙ୍କ ଘରକୁ ଯାଇ ତାକୁ ଘରୁ ଡାକି ଆଣିବା ପରେ ତାର ଛାତି ଓ ପେଟ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଭୁସି ଦେଇଥିଲା । ଏହି ସମୟରେ ବସନ୍ତର ଦୁଇ ସହଯୋଗୀ ଦିଲୀପ ଓ ସନ୍ତୋଷ ମିଶି ପବନାଙ୍କୁ ଧରି ନେଇଥିଲେ । ପବନାଙ୍କ ଚିତ୍କାର ଶୁଣି ତାର ବାପାମଆ ଦୌଡ଼ି ଆସୁଥିବାବେଳେ ଆଉ ଦୁଇ ଜଣ ସହଯୋଗୀ ଅଭିମନ୍ୟୁ ଓ ଶ୍ବେତ ମିଶି ସେମାନଙ୍କୁ ଅଟକାଇଥିଲେ। ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପବନାଙ୍କୁ ଲହୁଲୁହାଣ କରି ୫ ଜଣ ଫେରାର ହୋଇଯାଇଥିଲେ। ପରିବାର ଲୋକେ ପବନାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଡାକ୍ତରଖାନା ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନେଇଥିଲେ। ଆଉ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଉଥିବାବେଳେ ରାସ୍ତାରେ ପବନାଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ମୃତକଙ୍କ ମାଆ ସେବତୀ ସେଠୀଙ୍କ ଏତଲା କ୍ରମେ ଜଗନ୍ନାଥପ୍ରସାଦ ଥାନାରେ କେସ ନମ୍ବର ୧୯୨/୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଭଞ୍ଜନଗର ଏଡିଜେ କୋର୍ଟରେ (ସ୍ବତନ୍ତ୍ର ଜିଆର୍ କେସ୍ ନମ୍ବର ୨୦/୨୦୨୦) ମାମଲାର ବିଚାରଣା ଚାଲିଥିଲା। ଏହି ଘଟଣାରେ ବସନ୍ତ ଜେଲ୍ରେ ଥିବା ବେଳେ ଅନ୍ୟମାନେ ଜାମିନରେ ଥିଲେ। ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ପୁର୍ବରୁ ଏମ.ତାଜ ଆଦେନୀ ଏହି ମକଦ୍ଦମା ପରିଚାଳନା କରୁଥିଲେ। ତାଙ୍କ ବିୟୋଗ ପରେ ଡ.ସୁଶାନ୍ତ କୁମାର ତ୍ରିପାଠୀ ମକଦ୍ଦମା ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଦାସ ଏବଂ ଓମ୍ ପ୍ରକାଶ ପ୍ରଧାନ ସହଯୋଗ କରିଥିଲେ।