ନୂଆଦିଲ୍ଲୀ,୧୭।୯:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ। ଏହି ଅବସରରେ  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ କହିଛନ୍ତି ପିଏମ୍ ମୋଦି‘ଅବତାର ପୁରୁଷ’। ମୋର ଇଛା ସେ ୨୦୪୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରୁହନ୍ତୁ।  ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା  ଯାଏଁ ମୋଦି ହିଁ ପିଏମ ରହିଥାନ୍ତୁ।’

ଅମ୍ବାନୀ କହିଛନ୍ତି, ଆଜି ୧୪୫ କୋଟି ଭାରତୀୟଙ୍କ  ପାଇଁ ଏକ ଉତ୍ସବର ଦିନ । କାରଣ ଆମର ସମ୍ମାନୀୟ ଏବଂ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୫ତମ ଜନ୍ମଦିନ ପାଳନ କରୁଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାରତୀୟ ବ୍ୟବସାୟୀ ସମ୍ପ୍ରଦାୟ ଏବଂ ଅମ୍ବାନୀ ପରିବାର ପକ୍ଷରୁ, ମୁଁ ତାଙ୍କୁ ମୋର ହୃଦୟରୁ  ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଭାରତକୁ ନୂତନ ଶିଖରକୁ ନେଇଛି।  ଏହା ଏକ ସଂଯୋଗ ଯେ ଦେଶ ସ୍ୱାଧୀନତାର ‘ଅମୃତ କାଳ’ ପାଳନ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଜୀବନର ‘ଅମୃତ ମହୋତ୍ସବ‘ ମଧ୍ୟ ପାଳନ କରୁଛନ୍ତି। ଭଗବାନ ତାଙ୍କୁ ଏକ ବିଶେଷ ଉଦ୍ଦେଶ୍ୟ ସହିତ ପଠାଇଛନ୍ତି।

‘ମୁଁ ମୋ ଜୀବନରେ ଏପରି ଜଣେ ନେତାଙ୍କୁ ଦେଖିନାହିଁ ଯିଏ ଏତେ ସମର୍ପଣ, ଦୃଢ଼ତା ଏବଂ ସ୍ଥିରତା ସହିତ କାମ କରନ୍ତି।  ଭାରତୀୟଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ପାଇଁ  ସେ କଠିନ ପରିଶ୍ରମ ଜାରି ରଖିଛନ୍ତି। ସେ ପ୍ରଥମେ ଗୁଜରାଟକୁ ଏକ ଆର୍ଥିକ ମହାଶକ୍ତିରେ ପରିଣତ କରିଥିଲେ। ଏବେ ସେ ସମଗ୍ର ଦେଶକୁ ଏକ ବିଶ୍ୱ ମହାଶକ୍ତିରେ ପରିଣତ କରୁଛନ୍ତି।ତାଙ୍କୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜାଣିଥିବାରୁ ଏହା ମୋର ସୌଭାଗ୍ୟ । ମୋଦି ଜଣେ ନେତା ଯିଏ ଭାରତକୁ ଏକ ବିଶ୍ୱ ମହାଶକ୍ତି କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।ମୁଁ ମୋର ସମସ୍ତ  ଦେଶବାସୀଙ୍କ ସହ ମିଶି ଆମର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ତାଙ୍କର ନିରନ୍ତର ସୁସ୍ଥତା  ପ୍ରାର୍ଥନା କରୁଚି। ଜୟ ଶ୍ରୀ କୃଷ୍ଣ! ଜୟ ହିନ୍ଦ!