ମୁମ୍ବାଇ,୩୦।୧୦: ମୁମ୍ବାଇରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏକ ଷ୍ଟୁଡିଓ ଭିତରେ ୧୭ ଜଣ ପିଲାଙ୍କୁ ବନ୍ଧକ ରଖାଯିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ମୁମ୍ବାଇର ପଭଇରେ ଥିବା ଆରଏ ଷ୍ଟୁଡିଓରେ ଘଟିଥିଲ। ବିଲ୍ଡିଂର ପ୍ରଥମ ମହଲାରେ ଆକ୍ଟିଂ କ୍ଲାସ ଚାଲିଥିଲା। ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ଅଡିସନ୍ ନାଁରେ କିଛି ପିଲାଙ୍କୁ ଡାକିଥିଲା। ଯାହାଙ୍କ ବୟସ ୮ ରୁ ୧୪ ବର୍ଷ ଭିତରେ ଥିଲା। ବନ୍ଧୀ ଥିବା ପିଲାମାନେ ଭୟଭୀତ ଅବସ୍ଥାରେ ଝରକା ବାଟ ଦେଇ ବାହାରର ଲୋକଙ୍କୁ ସାହାଯ୍ୟ ମାଗିଥିଲା। ପୁଲିସ ଏହାର ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା।ଏହାପରେ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ୍। ଏହି ସମୟରେ ଅଭିଯୁକ୍ତ ରୋହିତ ଦେହରେ ପୁଲିସର ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ମୁମ୍ବାଇ ପୁଲିସର କହିବା ଅନୁସାରେ, ଗତ ୪-୫ ଦିନ ହେବ ଏହି ଅଡିଶନ ଚାଲିଥିଲା, ଆଜି ସକାଳେ ମଧ୍ୟ ୧୦୦ ଜଣ ପିଲା ଆସିଥିଲେ, କିନ୍ତୁ ସକାଳୁ ପ୍ରାୟ ୮୦ ଜଣ ପିଲାଙ୍କୁ ଫେରାଇ ଦିଆଯାଇଥିଲା। ବାକି ଅନ୍ୟ ପିଲାଙ୍କୁ ରୁମ୍ରେ ବନ୍ଦ କରି ଦିଆଯାଇଥିଲା। ଅଭିଯୁକ୍ତ ଷ୍ଟୁଡିଓରେ ପିଲାଙ୍କୁ ବନ୍ଦୀ କରି ରଖିଥିଲା। ସେ ଏକ ଭିଡିଓ ମଧ୍ୟ ଜାରି କରିଥିଲା। ସେଥିରେ ସେ ମାନସିକ ରୂପରେ ଅସ୍ଥିର ଥିବାର ଲାଗୁଥିଲା।’
ମୁମ୍ବାଇ ପୋଲିସ କହିଛି, ‘ସମସ୍ତ ପିଲାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ରୋହିତ ପିଲାଙ୍କୁ ବନ୍ଦୀ କରିବା ସମୟରେ ଏକ ଭିଡିଓ ଜାରି କରିଥିଲା। ସେ ଏଥିରେ କହିଥିଲା ‘ମୁଁ ରୋହିତ ଆର୍ଯ୍ୟ। ଆତ୍ମହତ୍ୟା କରିବା ପରିବର୍ତ୍ତେ, ମୁଁ ଏକ ଯୋଜନା ପ୍ରସ୍ତୁତ କରିଛି ଏବଂ ଏଠାରେ କିଛି ପିଲାଙ୍କୁ ବନ୍ଧକ ରଖିଛି। ମୋର ବହୁତ କିଛି ଦାବି ନାହିଁ; ମୋର ବହୁତ ସରଳ ଦାବି, ନୈତିକ ଦାବି ଏବଂ କିଛି ପ୍ରଶ୍ନ ଅଛି। ମୁଁ କିଛି ଲୋକଙ୍କ ସହିତ କଥା ହେବାକୁ ଚାହୁଁଛି, ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଯଦି ମୋର ସେମାନଙ୍କ କିଛି କାଉଣ୍ଟର ପ୍ରଶ୍ନ ଅଛି, ତେବେ ମୁଁ ସେମାନଙ୍କୁ ମଧ୍ୟ ପଚାରିବାକୁ ଚାହୁଁଛି। କିନ୍ତୁ ମୁଁ ଏହାର ଉତ୍ତର ଚାହେଁ। ମୁଁ ଅନ୍ୟ କିଛି ଚାହେଁ ନାହିଁ। ମୁଁ ଜଣେ ଆତଙ୍କବାଦୀ ନୁହେଁ, କିମ୍ବା ମୁଁ ବହୁତ ଟଙ୍କା ଦାବି କରେ ନାହିଁ।