ନୂଆଦିଲ୍ଲୀ: ସାଉଦି ଆରବର ଜେଦାରେ ଆଇପିଏଲ ୨୦୨୫ ଲାଗି ମେଗା ଅକ୍ସନ ଜାରି ରହିଛି । ଆଜି (ସୋମବାର) ଦ୍ବିତୀୟ ଦିନରେ ଭୁବନେଶ୍ବର କୁମାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୀର୍ଘ ବର୍ଷ ଧରି ହାଇଦ୍ରବାଦ ଟିମ୍‌ରେ ଖେଳି ଆସିଥିବା ଭୁବନେଶ୍ବର କୁମାରଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଭୁବନେଶ୍ବର କୁମାରଙ୍କୁ ବେଙ୍ଗାଲୁରୁ ୧୦ କୋଟି ୭୫ ଲକ୍ଷ ଟଙ୍କା ଦେଇ କିଣିଛି । ତାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା ।  ସେ ନିଜର ଆଇପିଏଲ ଯାତ୍ରା ୨୦୦୯ରେ ଆରସିବି ସହ ହିଁ ଆରମ୍ଭ କରିଥିଲେ । 




ଦୁଇଟି ସିଜିନ୍‌ରେ ଆରସିବି ସହ ଖେଳିବା ପରେ ପୁଣେ ଓ୍ବାରିୟର୍ସରେ ସାମିଲ ହୋଇଥିଲେ ଭୁବନେଶ୍ବର । ଏହି ସମୟରେ ସେ ୩ଟି ସିଜିନ୍‌ ଖେଳିଥିଲେ । ଏବେ ପୁଣେ ଟିମ୍‌ ନଥିବା ବେଳେ ସେତେବେଳେ ଭୁବନେଶ୍ବରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦ ଭୁବନେଶ୍ବର କୁମାରଙ୍କୁ ଏକ ନିଆରା ପରିଚୟ ଦେଇଥିଲା । 

ଖୁବ କମ ସମୟରେ ସେ ଦଳ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାର ପ୍ରମାଣ ଦେଇଥିଲେ । ଲାଗାତାର ୪ଟି ସିଜିନ୍‌ରେ ଭୁବନେଶ୍ବର କୁମାର ୧୮ରୁ ଅଧିକ ଓ୍ବିକେଟ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ୨୦୧୬ ଏବଂ ୨୦୧୭ରେ ପର୍ପଲ କ୍ୟାପ୍‌ର ଅଧିକାରୀ ହୋଇଥିଲେ ଭୁବନେଶ୍ବର କୁମାର । କିନ୍ତୁ ହାଇଦ୍ରାବାଦ ଲାଗି ଅଧିକ ଓ୍ବିକେଟ ନେଉଥିବା ସ୍ବିଙ୍ଗ୍‌ କିଙ୍ଗ ଭୁବନେଶ୍ବର କୁମାରଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ୍‌ କରିଥିଲା ସନରାଇର୍ସ ହାଇଦ୍ରାବାଦ ।