ମୁମ୍ବାଇ,୨୭।୬: ମହରମ୍ ଶୋଭାଯାତ୍ରାରେ ଆସିଥିଲେ ମୃତ୍ୟର ସୌଦାଗର ହୋଇ। ପ୍ଳାନିଂ ଥିଲା ବଡ଼ ଧରଣର ଅଘଟଣ। ହେଲେ ଅଳ୍ପକେ ବଞ୍ଚିଗଲା ହଜାର ହଜାର ଲୋକଙ୍କ ଜୀବନ। ପେନ୍ କିଲର କହି ବିଷାକ୍ତ କ୍ୟାପସୁଲ ବାଣ୍ଟୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । କ୍ୟାପସୁଲ୍ ଭିତରେ ଥିଲା ବିଷାକ୍ତ ଜିଙ୍କ୍ ଫସଫାଇଡ। ଏହା ହେଉଛି ସେହି ଜିଙ୍କ ଫସଫାଇଡ୍ ଯାହାକି ମୂଷା ମାରିବାକୁ ବ୍ୟବହାର କରାଯାଏ। ଅଭିଯୁକ୍ତ ପୋଲିସ କଷ୍ଟଡିରେ ଥିବା ବେଳେ ଜାରି ରହିଛି ପଚରା ଉଚରା।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ। ମହରମ୍ ଶୋଭାଯାତ୍ରାରେ ବିଷାକ୍ତ କ୍ୟାପସୁଲ୍ ଦେଇ ହଜାର ହଜାର ଲୋକଙ୍କୁ ଟାର୍ଗେଟ କରିବାକୁ ଯୋଜନା। ଏହି ମାମଲାରେ ଅଭିଯୁକ୍ତ ଫୟାଜ ନିସାର ହୁସେନ ପ୍ରେମଜୀଙ୍କୁ ଗିରଫ କରିଛି ପୋଲିସ। ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ମହରମ୍ ଶୋଭାଯାତ୍ରାରେ ଲୋକଙ୍କୁ ପେନକିଲର ଔଷଧ କହି ଏହି ବିଷାକ୍ତ କ୍ୟାପସୁଲ୍ ବାଣ୍ଟିବାର ଯୋଜନା କରିଥିଲା। ତଦନ୍ତରେ ଦାବି କରାଯାଇଛି ଯେ ଏହି କ୍ୟାପସୁଲରେ ଥିଲା ଜିଙ୍କ୍ ଫସଫାଇଡ୍ । ଏହା ଏକ ବିଷାକ୍ତ ରାସାୟନିକ ପଦାର୍ଥ, ଯାହାକୁ ମୂଷାମରା ଔଷଧରେ ବ୍ୟବହାର କରାଯାଏ। ତଦନ୍ତକାରୀ ଏଜେନ୍ସି ଅଭିଯୁକ୍ତ ନିକଟରୁ ୧୪୯୦୦ କ୍ୟାପସୁଲ୍ ଜବତ କରିଛି। କେବଳ ସେତିକି ନୁହେଁ, ଅଭିଯୁକ୍ତ ୩୦ ହଜାର କ୍ୟାପସୁଲ ଅର୍ଡର କରିଥିଲା। ଏହା ସହ ୫୦ କିଲୋଗ୍ରାମ୍ ଜିଙ୍କ ଫସଫାଇଡ୍ ମଗାଇବାର ମଧ୍ୟ ପ୍ରସ୍ତୁତି କରିଥିଲା। ଏହି ଖୁଲାସା ପରେ ଏଜେନ୍ସି ପୁରା ନେଟଓ୍ବର୍କ ବିଷୟରେ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।
ଡିସିପି ଜୟନ୍ତ ମୀନା କହିଛନ୍ତି, ଅଭିଯୁକ୍ତ ବିନା ଅନୁମତିରେ କ୍ୟାପସୁଲ୍ ବିକ୍ରି କରୁଥିଲା। ଜଣେ ବ୍ୟକ୍ତି ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ପୋଲିସର ଏକ ଟିମ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତର ନାଁ ଫୟାଜ ନିସାର ହୁସେନ ପ୍ରେମଜୀ। ସେ ପୁଣେର ବାସିନ୍ଦା। ରଙ୍ଗ ବ୍ୟବସାୟୀ ଭାବରେ କାମ କରେ। ସେ ୫୦ କିଲୋଗ୍ରାମ ଜିଙ୍କ ଫସଫାଇଡ୍ ଅର୍ଡର କରିଥିଲା। ଏହାପରେ କିଛି ଦିନ ନିଜ ଘରେ ବସି ପ୍ରତ୍ୟେକ କ୍ୟାପସୁଲରେ ଗୋଟେ ଗ୍ରାମ ଲେଖାଏଁ ବିଷ ପ୍ୟାକ୍ କରି ମହରମକୁକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ୨୦୨୫ରେ ଇରାନ ଏବଂ ଇରାକ ଯାତ୍ରା କରିଥିଲା। ବିଦେଶ ଯାତ୍ରାର ଏହି ମାମଲା ସହିତ କୌଣସି ସମ୍ପର୍କ ଅଛି ନାହିଁ ତା’ର ମଧ୍ୟ ତଦନ୍ତ ଚାଲିଛି। ଏହା ସହ ଷଡ଼ଯନ୍ତ୍ର ପଛରେ କୌଣସି ନେଟୱାର୍କ ସକ୍ରିୟ ଥିଲା କି ନାହିଁ ତା’ର ବି ପୋଲିସ ଏବଂ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ଛାନବିନ୍ କରୁଛନ୍ତି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି। ଏହି କଥିତ ଷଡ଼ଯନ୍ତ୍ରରେ ଆଉ କିଏ ସାମିଲ ଥିଲେ, ବିଷାକ୍ତ ପଦାର୍ଥ କେଉଁଠାରେ ଯୋଗାଇ ଦିଆଯାଇଥିଲା ଏବଂ କୌଣସି ସଂଗଠନ କିମ୍ବା ବିଦେଶୀ ହାତ ରହିଛି କି ନାହିଁ ତା’ର ମଧ୍ୟ ଯାଞ୍ଚ ଚାଲିଛି।