ଭୁବନେଶ୍ୱର/ବ୍ରହ୍ମପୁର,୦୪/୧୧: ଓଡିଶାର ଫୁଲବାଣୀ, ଗଜପତିରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମୁମ୍ବାଇ ପଠାଉଥିଲେ । ସେଠାକାର ଦଲାଲମାନେ ଗଞ୍ଜେଇ ବିକୁଥିଲେ । ଡିମାଣ୍ଡରେ ଥିଲା ଶୀଳାବତୀ । ଆଉ ବଲିଉଡର ଅନେକ ସେଲିବ୍ରିଟି ଏହି ‘ଶୀଳାବତୀ’  ନିଶାରେ ଝୁମୁଥିଲେ । ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ମୁମ୍ବାଇ ନାର୍କୋଟିକସ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଓଡିଶାରୁ କାବୁ କରିଛି ।  

ମୁମ୍ବାଇ ଏନ୍‌ସିବି ଟିମ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁଲୁଆ ସାହିର ନିଲୁ ପରିଡ଼ାଙ୍କୁ ଉଠାଇଥିବା ସୂଚନା  ମିଳିଛି । ରବିବାର ନିଲୁକୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା  କରାଯାଇଛି । ଭୁବନେଶ୍ୱର ସିଜିଏମ୍‌ ଅଦାଲତରେ ହାଜର କରିବା  ପରେ ଟ୍ରାନଜିଟ୍‌ ରିମାଣ୍ଡରେ ମୁମ୍ବାଇ ନିଆଯାଉଛି । 

ଏନ୍‌ସିବିଠାରୁ ମିଲିଥିବା ତଥ୍ୟ ମୁତାବକ, ଦୁଇ ମାସ ତଳେ  ମୁମ୍ବାଇରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏନ୍‌ସିବି ସୁଫିଆନ  ଖାନ୍‌ ସମେତ ଦୁଇଜଣଙ୍କୁ ଗିରଫ କରିଥିଲା । ମୁମ୍ବାଇ ଏନ୍‌ସିବିରେ  ଏନେଇ ୨୩/୨୦୨୪ରେ ଏକ ମାମଲା ରୁଜୁ ହୋଇଥିଲା । ୨ଜଣଙ୍କୁ ଜେରା ବେଳେ ସେମାନେ ଗଞ୍ଜାମର ନିଲୁ ପରିଡ଼ା ଗଞ୍ଜେଇ ମଗାଉଥିବା  ମାନିଥିଲେ । ସେବେଠୁ ଏନ୍‌ସିବି ନିଲୁକୁ ଖୋଜୁଥିଲା । କିନ୍ତୁ ନିଲୁ ଫେରାର୍‌ ହୋଇଯାଇଥିଲା । ଶନିବାର ବେଗୁନିଆପଡ଼ା ପୁଲିସ  ସହଯୋଗରେ ତାଙ୍କୁ ଗିରଫ କରାଯାଇଛି । ନିଲୁ ନାଁରେ ପୂର୍ବରୁ  ଗଞ୍ଜେଇ ଚୋରା ଚାଲାଣ ମାମଲା ରହିଛି ।  

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ବେଗୁନିଆପଡ଼ା ଥାନା  ଅଞ୍ଚଳରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା । ବେଗୁନିଆପଡ଼ା ଥାନାରେ ୮୦/୨୦୨୪ରେ ଏକ  ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ  ନିଲୁ ଫେରାର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସେ  ହାଇକୋର୍ଟରୁ ଜାମିନ୍‌ ଆଣି କୋର୍ଟରେ ଆତ୍ମସମର୍ପଣ କରିଥିଲା ।  ଗଞ୍ଜାମ ଜିଲ୍ଲାର ଅନେକ ମାଫିଆ ଏବେ ବାହାର ରାଜ୍ୟକୁ ଗଞ୍ଜେଇ  ଚାଲାଣ କରୁଛନ୍ତି । ବିଶେଷ ଭାବେ କୋଦଳା ଓ ବେଗୁନିଆପଡ଼ା  ଥାନା ଅଞ୍ଚଳରେ ରହି ଦେଶର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ  କରୁଥିବା ଜଣାଯାଉଛି । କୋଦଳା ଅଞ୍ଚଳରେ ଦୁଇଜଣ ଗଞ୍ଜେଇ  ମାଫିଆଙ୍କ ସମ୍ପତ୍ତି ବି ବ୍ୟାଜ୍ୟାପ୍ତ ହୋଇଛି ।