ମୁମ୍ବାଇ, ୩/୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ୧୦ ଦିନରେ ଇସ୍ତଫା ଦେବାକୁ ଚେତାବନୀ । ଇସ୍ତଫା ନ ଦେଲେ ତାଙ୍କର ବାବା ସିଦ୍ଦିକିଙ୍କ ପରି ଅବସ୍ଥା ହେବ ବୋଲି ଫୋନ ଆସିଥିବା ଜଣାପଡିଛି ।
ଶନିବାର ମୁମ୍ବାଇ ପୋଲିସ କଣ୍ଟ୍ରୋଲ ସେଲକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଛି । ଯେଉଁଥିରେ କୁହାଯାଇଛି କି ୧୦ ଦିନ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ତଫା ନ ଦିଅନ୍ତି ତେବେ ବାବା ସିଦ୍ଦିକିଙ୍କ ପରି ତାଙ୍କୁ ହତ୍ୟା କରାଯିବ । ଏହି ଧମକ ମେସେଜ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସଜାଗ ରହିଛି ପୋଲିସ । ମୁମ୍ବାଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । କିଏ କେଉଁଠୁ ଫୋନ କରିଛି ତାର ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉ କି, ଅକ୍ଟୋବର ୧୨ ତାରିଖରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପଛରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି । ପୋଲିସ ଏହି ଘଟଣାରେ କେତେଜଣଙ୍କୁ ଗିରଫ ମଧ୍ୟ କରିଛି ।