ଔପଦା,୦୪/୧୦:ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ପିଟିପିଟି କଚାଡି ମାରିଲା ସ୍ୱାମୀ । କାନ୍ଦୁଛି ଅଢେଇ ବର୍ଷର କୁନି ଝିଅ ।  ବାଲେଶ୍ଵର ଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ପ୍ରତାପପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। 

ସୂଚନା ମୁତାବକ,ଉକ୍ତ ଗାଁର ଦେବେନ୍ଦ୍ର ମାଣଙ୍କ ପୁଅ ନିଶାକର ମାଣ ଆଜକୁ ୪ ବର୍ଷ ତଳେ ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ଗାଁର କୁନୁ ବାଗଙ୍କ ଝିଅ ବିଷମାକୁ ବିବାହ କରିଥିଲେ। ଉଭୟଙ୍କ ଏକ ଅଢେଇ ବର୍ଷର କନ୍ୟା ସନ୍ତାନ ଅଛି । ହେଲେ ଗତକାଲି ଘରୋଇ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଝଗଡା ହୋଇ ପରିସ୍ଥିତି ଉଗ୍ର ରୂପ ନେଇଥିଲା । ନିଶାକର ବିଷମାକୁ ନିସ୍ତୁକ ମାଡ଼ ମାରିବା ସହିତ ତଳେ କଚାଡି ଦେଇଥିଲେ । ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ନିଶାକର ସ୍କୁଟି ଯୋଗେ ବିଷମାକୁ ଖଇରା ମେଡ଼ିକାଲକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ଦେଖି ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ । ହେଲେ ୧୦୮ ଆମ୍ୱୁଲାନ୍ସ ଯୋଗେ ଯିବା ବାଟରେ ହିଁ ବିଷମାଙ୍କ ମୃତ୍ୟୁ ହୋଇଥିଲେ। ଏନେଇ ଭୟରେ ନିଶାକର ତାଙ୍କୁ ନିଜ ଘର ପ୍ରତାପପୁରକୁ ଫେରାଇ ଆଣିଥିଲେ ।ଖବରପାଇ ମୃତ ବିଷମାର ବପା ଓ ମା ଆଜି ଭୋରୁ ଆସି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି  ନିଶାକର ଓରଫ ଜଗାକୁ ପୁଲିସ ଗିରଫ କରିଥିବା ବେଳେ ତନାଘନା ଜାରି ରହିଛି।