ବେତନଟୀ ,୨୯/୦୧: ଡାହାଣୀ ସନ୍ଦେହରେ ବୃଦ୍ଧା ମାଆଙ୍କୁ ହତ୍ୟା କଲା ପୁଅ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ହତ୍ୟାକାରୀ ଅଭିଯୁକ୍ତ ଜଣକ ଚୈତନ୍ୟ ସିଂଙ୍କ ପୁଅ ତପନ ସିଂ ବୋଲି ଜଣାପଡିଛି।
ଆହୁରି ପଢନ୍ତୁ-ନାମାଙ୍କନପତ୍ର ଦାଖଲ ବେଳକୁ ଦୁଇରୁ ଅଧିକ ସନ୍ତାନ ଥିଲେ ସରପଞ୍ଚ ପଦ ପାଇଁ ଅଯୋଗ୍ୟ: ହାଇକୋର୍ଟ
ସୂଚନା ମୁତାବକ, ନିକଟରେ ତପନ ସିଂଙ୍କ ଗର୍ଭବତୀ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥିଲା। ଡାହାଣୀ ହୋଇ ମା' ରାଇମଣି ସିଂ ସ୍ତ୍ରୀର ଗର୍ଭସ୍ଥ ପିଲାକୁ ଖାଇଥିବା ସନ୍ଦେହ କରିଥିଲା ତପନ । ଏନେଇ ଗୁରୁବାର ସକାଳେ ଉତ୍ୟକ୍ତ ହୋଇ ତପନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ସହିତ ଘରେ ଥିବା ଏକ ଧାରୁଆ କଟୁରୀରେ ବାରମ୍ବାର ମୁଣ୍ଡ ଏବଂ ବେକରେ ପ୍ରହାର କରି ବୃଦ୍ଧା ମା'କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପାଖ ପଡୋଶୀ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଦେଖି ଭୟଭୀତ ହୋଇପଡିଥିବା ବେଳେ ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜହ୍ଲାଦ ପୁଅ ତପନ ସିଂକୁ ଗିରଫ କରିଥିଲା । ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛନ୍ତି । ଏନେଇ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ ସହାୟତାରେ ବେତନଟୀ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।