ବାଉଁଶୁଣୀ,୦୨/୧୦: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଦୁଗୁଦା ସାନ ନାଳିଆରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣଙ୍କ ସମ୍ବଲପୁର ଅଞ୍ଚଳର ଟୁନୁ ଭୋଇ ବୋଲି ଜଣାପଡିଛି । ସୂଚନା ମୁତାବକ, ଆଜି ସ୍ଥାନୀୟ ଲୋକେ ସକାଳେ ଶୌଚ ପାଇଁ ନାଳ ନିକଟକୁ ଯାଇଥିବା ବେଳେ ପାଣି ଭିତରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସେହିପରି ନାଳ ନିକଟ ରାସ୍ତା ଉପରେ ଏକ ବାଇକ ମଧ୍ୟ ପଡ଼ି ରହିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ମନମୁଣ୍ଡା ଥାନାକୁ ଖବର ଦେଇଥିଲେ । ତେବେ ଟୁନୁ ଭୋଇ ଗତକାଲି ଦଶହରା ଅବସରରେ ନିଜ ଭଉଣୀ ଓ ଭିଣୋଇ ଘରକୁ ବୁଲି ଆସିଥିବା ତାଙ୍କ ଭିଣୋଇ ଦଶରଥ ତାଣ୍ଡିଆ କହିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ବିକ ଘଟଣାକ୍ରମକୁ ଦେଖି ସନ୍ଦେହ କରାଯାଉଥିବା ବେଳେ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରିଛି ।