ନୂଆଦିଲ୍ଲୀ,୧୮।୧୨: ମଣିପୁରର ଇମ୍ଫାଲ ଇଷ୍ଟ ଜିଲ୍ଲା ନିକଟରେ ସୁରକ୍ଷାବଳ ଦୁଇଟି ଷ୍ଟାରଲିଙ୍କ ଉପକରଣ ଜବତ କରିଛି। ଏହି ଘଟଣା ପରେ ପୂର୍ବୋତ୍ତର ରାଜ୍ୟରେ ସାଟେଲାଇଟ୍ ଇଣ୍ଟରନେଟ୍ର ବ୍ୟବହାରକୁ ନେଇ ଚର୍ଚ୍ଚା ବଢିଛି। ତେବେ ଏହି ଚର୍ଚ୍ଚା ଭିତରେ ସ୍ପେସ୍ଏକ୍ସର ସଂସ୍ଥାପକ ଏଲନ୍ ମସ୍କ ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ବିମ୍ ସକ୍ରିୟ ନାହିଁ। ‘ସ୍ପେସ୍ଏକ୍ସ’ର ସଂସ୍ଥାପକ ଏଲନ୍ ମସ୍କ କହିଛନ୍ତି ଭାରତ ଉପରେ ‘ଷ୍ଟାରଲିଙ୍କ’ର ‘ସାଟେଲାଇଟ୍ ବିମ୍’ ବନ୍ଦ କରି ଦିଆଯାଇଛି।
ଭାରତୀୟ ସେନାର ସ୍ପିୟର କୋର ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ଜବତ କରାଯାଇଥିବା ଜିନିଷର ଫଟୋ ସେୟାର କରିଥିଲେ। ଯାହାପରେ ଜଣେ ୟୁଜର ଏହା ଉପରେ ଧ୍ୟାନ ଦେଇଥିଲେ ଯେ, ତା ଭିତରେ ଏକ ଉପକରଣରେ ‘ଷ୍ଟାରଲିଙ୍କର ଲୋଗୋ’ ଥିଲା। ଏହାକୁ ନେଇ ଜଣେ ୟୁଜର ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ଓ କହିଛନ୍ତି ଷ୍ଟାରଲିଙ୍କର ବ୍ୟବହାର ଆତଙ୍କବାଦୀଙ୍କ ଦ୍ବାରା କରାଯାଉଛି। ଆଶା ରହିଛି ଏଲନ୍ ମସ୍କ ଏହା ଉପରେ ଧ୍ୟାନ ଦେବେ ଓ ଏହି ଟେକ୍ନାଲୋଜିର ଦୂରୁପଯୋଗ ଉପରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ କରିବ। ମସ୍କ ଜବାବ ଦେଇଛନ୍ତି, ଏହା ଭୁଲ। ଭାରତ ଉପରେ ଷ୍ଟାରଲିଙ୍କର ସାଟେଲାଇଟ୍ ବିମ୍ ବନ୍ଦ କରି ଦିଆଯାଇଛି।ତା ଛଡା ଏହା କେବେ ଅନ୍ ମଧ୍ୟ ହୋଇନି।’
ରାଜ୍ୟ ପୋଲିସର ସୂଚନା ଅନୁସାରେ, କେରାଓ ଖୁନୋରୁ ଜବତ କରାଯାଇଥିବା ସାମଗ୍ରୀରେ ‘ଏକ ଇଣ୍ଟରନେଟ୍ ସାଟେଲାଇଟ୍ ଆଣ୍ଟିନା, ଇଣ୍ଟରନେଟ୍ ସାଟେଲାଇଟ୍ ରାଉଟର ଓ ୨୦ ମିଟର ଏଫ୍ଟିପି ତାର ରହିଛି। ଅଧିକାରୀଙ୍କ କହିବା ଅନୁସାରେ, ଷ୍ଟାରଲିଙ୍କ ଭଳି ଉପକରଣ ମିଳିବା ପରେ ଏଜେନ୍ସି ଏହି କଥାର ଯାଞ୍ଚ ଆରମ୍ଭ କରିଦେଇଛି ଯେ, ଏହି ଉପକରଣ ହିଂସାଗ୍ରସ୍ତ ରାଜ୍ୟରେ ପହଁଞ୍ଚିଛି। ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ପାଖରେ ଭାରତରେ କାମ କରିବାର ଲାଇସେନ୍ସ ନାହିଁ।