ମେରଠ: ଆପଣଙ୍କ ମନେ ଥିବ ନୀଳ ଡ୍ରମ୍‌ ହତ୍ୟା ମାମଲା । ମୁସ୍କାନ, ତା’ ସ୍ୱାମୀ ସୌରଭଙ୍କୁ ପ୍ରେମିକ ସାହିଲ ସହିତ ହତ୍ୟା କରି ନୀଳ ଡ୍ରମ୍‌ରେ ପ୍ୟାକ୍ କରିଥିଲା । ଏବେ ସେ ଜେଲ୍‌ରୁ ମୁକ୍ତି ପାଇବା ପାଇଁ ନବରାତ୍ରିରେ ଉପବାସ କରୁଛି। ସେ ରାମାୟଣ ଏବଂ ସୁନ୍ଦରକାଣ୍ଡ ମଧ୍ୟ ପାଠ କରୁଛି। ମୁସ୍କାନ ଗର୍ଭବତୀ ଏବଂ ଧାର୍ମିକ ଗ୍ରନ୍ଥ ପାଠ କରି ତା ସନ୍ତାନକୁ ସଂସ୍କାର ଦେବାକୁ ଚାହୁଁଛି । ଜେଲ୍‌ ପ୍ରଶାସନ ଏହି ଉପବାସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ସୌରଭଙ୍କୁ ହତ୍ୟା କରିଥିବା ମୁସ୍କାନ ଜେଲ୍‌ରେ ନବରାତ୍ରିରେ ଉପବାସ କରୁଛି । ସେ ଦେବୀ ମା'ଙ୍କୁ ପ୍ରାର୍ଥନା କରୁଛି ଏବଂ ଜେଲରରୁ ଶୀଘ୍ର ମୁକ୍ତି ପାଇଁ ବ୍ରତ କରିଛି ।

ମୁସ୍କାନ ସକାଳେ ଏବଂ ସନ୍ଧ୍ୟାରେ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି । ମୁସ୍କାନର ଏହି ପରିବର୍ତ୍ତିତ ରୂପ ଜେଲ ପ୍ରଶାସନକୁ ମଧ୍ୟ ଆଶ୍ଚର୍ଯ୍ୟ କରୁଛି। ମୁସ୍କାନ ତା ପ୍ରେମିକ ସାହିଲ ସହିତ ମିଶି ସ୍ୱାମୀ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପ୍ୟାକ୍ କରିଥିଲା। ମୁସ୍କାନ ଏବେ ତା ପାପର ପ୍ରାୟଶ୍ଚିତ କରିବା ସହ ଜେଲରୁ ମୁକ୍ତି ପାଇଁ ଉପବାସ କରୁଛି । ଜେଲ ସୁପରିଟେଣ୍ଡେଣ୍ଟ ବୀରେଶ ରାଜ ଶର୍ମା କହିଛନ୍ତି ଯେ, ମୁସ୍କାନ ନବରାତ୍ରି ସମୟରେ ଉପବାସ ରଖିଛି।

ଜେଲ ସୁପରିଣ୍ଟେଣ୍ଡେଣ୍ଟ ବୀରେଶ ରାଜ ଶର୍ମା କହିଛନ୍ତି ଯେ, ଜେଲ କୋଠରୀରେ ବନ୍ଦୀ ଥିବା ମୁସ୍କାନ ଗର୍ଭବତୀ। ଗୋଟିଏ ପଟେ ସେ ଦେବୀ ଦୁର୍ଗାଙ୍କ ଉପବାସ କରୁଛି, ଅନ୍ୟପଟେ ସେ ରାମାୟଣ ଏବଂ ସୁନ୍ଦରକାଣ୍ଡ ପାଠ କରୁଛି । ମୁସ୍କାନ ଚାହୁଁଛି ଯେ, ତା ଗର୍ଭରେ ବଢ଼ୁଥିବା ପିଲାଟି ସଂସ୍କାରୀ ଏବଂ ଭଲ ଗୁଣର ହେଉ। ସେଥିପାଇଁ ସେ ନିୟମିତ ସୁନ୍ଦରକାଣ୍ଡ ପାଠ କରୁଛି ଏବଂ ରାମାୟଣ ଶୁଣୁଛି । ମୁସ୍କାନ ସମେତ ତାର ହତ୍ୟାକାରୀ ପ୍ରେମିକ ସାହିଲ ମଧ୍ୟ ନବରାତ୍ରି ଅବସରରେ ଉପବାସ କରିଥିବା ଜଣାପଡ଼ିଛି । ତେବେ ମେରଠ ଜେଲରେ ପ୍ରାୟ ୩୮ ଜଣ ମହିଳା ଉପବାସ କରୁଛନ୍ତି। ଜେଲ ପ୍ରଶାସନ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି। ମେରଠର ଜେଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ, ମୁସ୍କାନକୁ ଦେଖା କରିବାକୁ କେହି ଆସୁ ନାହାନ୍ତି । କିନ୍ତୁ ସାହିଲର ଜେଜେମା ଏବଂ ଭାଇ ତାକୁ ଅନେକ ଥର ଦେଖା କରିଛନ୍ତି।

ସୂଚନାଯୋଗ୍ୟ, ସୌରଭ ହତ୍ୟା ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ।  ଜଣେ ସ୍ତ୍ରୀ  ତା ପ୍ରେମିକ ସହିତ ଷଡଯନ୍ତ୍ର କରି ସ୍ୱାମୀଙ୍କୁ ହତ୍ୟା କରିଥିଲା । ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ସିମେଣ୍ଟ ଭର୍ତ୍ତି ନୀଳ ଡ୍ରମରେ ପ୍ୟାକ କରି ଦେଇଥିଲା । ଏହା ଶୁଣି ଲୋକମାନେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏବେ ହତ୍ୟାକରୀ ମୁସ୍କାନ ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି । ଏହା ସ୍ପଷ୍ଟ ଯେ, ମୁସ୍କାନର ଅପରାଧ ଏତେ ଗମ୍ଭୀର ଯେ, ଏଥିରୁ ତ୍ରାହି ମିଳିବା ଅସମ୍ଭବ ।