ଲଦାଖ, ୧୮।୭: କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲ୍ଲାର ଜଣେ ସାଧାରଣ ଝିଅ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା NEET-UG ୨୦୨୬ ରେ ୟୁଟି ଲେଭଲ୍ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛନ୍ତି ମୁସ୍କାନ୍ ଜହରା କାଲ୍ବି । ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଭାରତୀୟ ସେନା ମଧ୍ୟ ତାଙ୍କୁ ଖୋଲା ହୃଦୟରେ ପ୍ରଶଂସା କରିଛି ।
ଭାରତୀୟ ସେନାର ଶୁଭେଚ୍ଛା:
ଭାରତୀୟ ସେନାର ଫାୟାର୍ ଆଣ୍ଡ୍ ଫ୍ୟୁରି କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ମୁସ୍କାନ୍ଙ୍କ ଫଟୋ ଶେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛି । "ଶ୍ରେଷ୍ଠ ପ୍ରଦର୍ଶନର ଉତ୍ସବ, ସପ୍ନକୁ ମିଳିଲା ନୂଆ ଉଡ଼ାଣ । ଆର୍ମି ଗୁଡ୍ୱିଲ୍ ସ୍କୁଲ୍ ର ପୂର୍ବତନ ଛାତ୍ରୀ କୁମାରୀ ମୁସ୍କାନ୍ ଜହରା କାଲ୍ବିଙ୍କୁ ନିଟ୍ ୨୦୨୬ ରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ସେନା ଗର୍ବର ସହ ଅଭିନନ୍ଦନ ଜଣାଉଛି" ବୋଲି ସେନା ଟ୍ୱିଟ୍ କରିଛି ।
ଏହା ବି ପଢ଼ନ୍ତୁ... Vikram-1: ଅପେକ୍ଷାର ଅନ୍ତ... ଶେଷ ମୁହୂର୍ତ୍ତର ହୋଲ୍ଡ ପରେ ମହାକାଶକୁ ଗଲା ଭାରତର ପ୍ରଥମ ଘରୋଇ ରକେଟ୍ !
ମୁସ୍କାନ୍ଙ୍କର ମୋଟ୍ ନମ୍ବର ୭୨୦ ରୁ ୬୦୨ ଯାହା ୯୯.୫୨ ପ୍ରତିଶତ, ସାରା ଦେଶରେ ୯,୨୨୧, ଏବଂ ST ବର୍ଗରେ ୬୩ ର୍ୟାଙ୍କରେ ଅଛନ୍ତି । ସୀମାପାର୍ ଆତଙ୍କବାଦ ଜନିତ ଅସ୍ଥିରତା ମଧ୍ୟରେ ବି ମୁସ୍କାନଙ୍କ ଏହି ସଫଳତା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉଦାହରଣ ସାଜିଛି । ସେନା କହିଛି, ମୁସ୍କାନ୍ଙ୍କ ଏହି ସଫଳତା ତାଙ୍କ ନିଷ୍ଠା, ପରିଶ୍ରମ ଏବଂ ତାଙ୍କ ପରିବାର ଓ ଶିକ୍ଷକଙ୍କ ଦ୍ୱାରା ଗଢ଼ାଯାଇଥିବା ମଜବୁତ ମୂଳଦୁଆର ପ୍ରତିଫଳନ । ସେ ସାରା ଲଦାଖର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।
କିଏ ଏହି ମୁସ୍କାନ୍ ଜହରା ?
ମୁସ୍କାନ୍ କାର୍ଗିଲ୍ର ହରଦାସ ଅଞ୍ଚଳର ବାସିନ୍ଦା ମହମ୍ମଦ କାଜିମ୍ ଖାନ୍ଙ୍କ ଝିଅ। ସେ ସେନା ଦ୍ୱାରା ପରିଚାଳିତ ଆର୍ମି ଗୁଡ୍ୱିଲ୍ ସ୍କୁଲ୍ରୁ ନିଜର ଶିକ୍ଷା ଗ୍ରହଣ କରିଛନ୍ତି । ତାଙ୍କର ଏହି ଗୌରବମୟ ସଫଳତା ପାଇଁ ଶିକ୍ଷକ, ଅଭିଭାବକ ଏବଂ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ମେଡିକାଲ କ୍ୟାରିୟରର କାମନା କରିଛନ୍ତି । ଆଶା କରାଯାଉଛି ଯେ ମୁସ୍କାନ୍ଙ୍କୁ ଦେଖି ଆଗାମୀ ଦିନରେ ସେହି ଅଞ୍ଚଳର ଆହୁରି ଅନେକ ଛାତ୍ରଛାତ୍ରୀ ଡାକ୍ତର ହେବା ପାଇଁ ଅନୁପ୍ରାଣିତ ହେବେ ।