ସିମୁଳିଆ,୨୭ା୧୧ : ସିମୁଳିଆ ବ୍ଲକରେ କୃଷି, ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ଚାଷରେ ଅଗ୍ରଗତି ଘଟିଥିବାବେଳେ ସୋରିଷ ଚାଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ପୂର୍ବରୁ ଏହି ଚାଷ କରିବା ପାଇଁ ଉପଯୁକ୍ତ ଜମିର ସୁବିଧା ଥିବା ପଞ୍ଚାୟତଗୁଡ଼ିକରେ କୃଷକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଅତ୍ୟନ୍ତ ଉତ୍କୃଷ୍ଟ ଧରଣର ସୋରିଷ ଚାଷ କରାଯାଇଥିଲା । ଏହି ଚାଷ ପାଇଁ ସିମୁଳିଆ ଶ୍ରେଷ୍ଠ ବ୍ଲକ ଭାବେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲା । କିଛି ବର୍ଷ ହେବ ଏହି ଚାଷକୁ ନେଇ କୃଷି ବିଭାଗର ଆଗ୍ରହ ଦେଖିବାକୁ ନମିଳିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଶତାଧିକ ଚାଷୀ ସ୍ଥାନୀୟ କୃଷି ବିଭାଗ ଏବଂ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଧାନ ଚାଷ ପରେ ପଡ଼ିଆ ପଡୁଥିବା ଜମିରେ ପୁଣି ସୋରିଷ ଚାଷ ହେବ ବୋଲି ଜଣାପଡ଼ିଛି ।
ଚଳିତ ବର୍ଷ ସିମୁଳିଆ ବ୍ଲକରେ ୮୪୦ ହେକ୍ଟର ଜମିରେ ଏହି ଚାଷ କରାଯିବ ବୋଲି ଟାର୍ଗେଟ ଆସିଥିବାର ସୂଚନା ମିଳିଛି । ପୂର୍ବପରି ଚାଷୀମାନେ ୨ଟି ପଦ୍ଧତିକୁ ଆପଣେଇ ପାରିବେ ଏବଂ ଭିନ୍ନ ଭିନ୍ନ ପଦ୍ଧତି ପାଇଁ ଅଲଗା ସରକାରୀ ପ୍ରୋତ୍ସାହନ ରାଶି ଥିବାର ସୂଚନା ମିଳିଛି । ଚାଷୀମାନଙ୍କ ପାଇଁ ବିହନର ସୁବିଧା କରାଯାଇଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଭିଏଡ଼ବ୍ଲ୍ୟୁ (ଗ୍ରାମ୍ୟ କୃଷି କର୍ମୀ) ମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି । ତଥାପି ଏହାର ସଫଳତା କୃଷି ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଖରିଫ ଋତୁ ଧାନ ଚାଷ ପରେ ସ୍ଥାନୀୟ ବ୍ଲକର ବିଭିନ୍ନ ପଞ୍ଚାୟତରେ ସୋରିଷ ଓ ବିରି ଚାଷ ସମେତ ଅନ୍ୟାନ୍ୟ ଉପଯୋଗୀ ଚାଷ କରାଯାଇଥାଏ । ଅଳ୍ପଦିନ ମଧ୍ୟରେ ପାଚିଲା ଧାନ ଖଳାକୁ ଆସିବା ପରେ ଚାଷୀମାନେ ନିଜ ଜମିରେ ସୋରିଷ ସମେତ ଅନ୍ୟ ଚାଷ ଆରମ୍ଭ କରିବେ । ସ୍ଥାନୀୟ ବ୍ଲକର ସର୍ବାଧିକ ସୋରିଷ ଚାଷ ମଇତାପୁର ପଞ୍ଚାୟତରେ କରାଯାଉଥିଲା ଓ ଚାଷୀମାନେ ରେକର୍ଡ଼ ସୃଷ୍ଟି କରିଥିଲେ । ସେହିପରି ମୁରୁଣା, ମାର୍କାଣା, ବାଙ୍ଗରଖଡ଼ିଗଢ଼ିଆ, ଅଡା, ଅଣ୍ଡରେଇ,ବରି, ବାଟି, ଜାମୁଝାଡ଼ି, ଈଶ୍ୱରପୁର, ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଏହି ଚାଷ ହୋଇଥାଏ । ଏଥର ବ୍ଲକକୁ ଟାର୍ଗେଟ ଆସିଥିବା ୫୪୦ ହେକ୍ଟର ଜମି ଅର୍ଥାତ ୧୩୫୦ ଏକର ଜମିରେ ସୋରିଷ ଚାଷ କରାଯିବ । ସେଥିପାଇଁ କେଉଁ କେଉଁ ପଞ୍ଚାୟତକୁ ଏଥର ଅଧିକ ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ କୃଷି ବିଭାଗ ପୂର୍ବ ରେକର୍ଡ଼ ଏବଂ ଚାଷୀମାନଙ୍କର ଆଗ୍ରହକୁ ଅଧିକ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି । ଏହି ଚାଷ ପାଇଁ ସରକାରୀ ଭାବେ ଦୁଇଟି ପଦ୍ଧତି ଯଥା ସାଧାରଣ ପ୍ରକ୍ରିୟାରେ ଚାଷ କରିବା ପାଇଁ ୩୦୦ ହେକ୍ଟର ଟାର୍ଗେଟ ଥିବାବେଳେ ମହୁବାକ୍ସ ପ୍ରକ୍ରିୟାରେ ଚାଷ କରିବା ପାଇଁ ୫୪୦ ହେକ୍ଟର ଜମି ଥିବାର ସୂଚନା ମିଳିଛି । ଚାଷୀଙ୍କୁ ହେକ୍ଟର ପିଛା ୭.୫କେଜି ବିହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ସେହିପରି ସାଧାରଣ ପ୍ରଣାଳୀରେ ଚାଷ କରିଥିବା ଚାଷୀମାନଙ୍କୁ ହେକ୍ଟର ଅର୍ଥାତ ଅଢେଇ ଏକରକୁ ୨୧୦୦ ଟଙ୍କା ଏବଂ ମହୁବାକ୍ସ ପ୍ରଣାଳୀରେ ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୫୧୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ସୂଚନାଯୋଗ୍ୟ ପୂର୍ବରୁ ସିମୁଳିଆରେ ୨ ହଜାର ହେକ୍ଟର ଜମିରେ ଉତ୍କୃଷ୍ଟ ଧରଣର ସୋରିଷ ଚାଷ କରାଯାଉଥିଲା ଏବଂ ଶତାଧିକ ଚାଷୀ ସ୍ୱାବଲମ୍ବୀ ହେଉଥିଲେ । ବିଭାଗ ପକ୍ଷରୁ ସଠିକ ପରିଚାଳନା ଦ୍ୱାରା ଚାଷୀ ଉପକୃତ ହୋଇ ପାରିବେ । ଅନ୍ୟପଟେ କୃଷି ବିଭାଗରେ ୨୨ ପଞ୍ଚାୟତ ପାଇଁ ମାତ୍ର ପାଞ୍ଚ ଜଣ ମହିଳା ଭିଏଡବ୍ଲ ଥିବାରୁ କୃଷି କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେଉଛି । ସେଥିପାଇଁ ସରକାରଙ୍କ ଲକ୍ଷ୍ୟ ସାଧନ କରିବା ପାଇଁ ଖାଲି ପଡ଼ିଥିବା ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଦାବି ହୋଇଛି । ସେହିପରି ଟାର୍ଗେଟ ଆସିଥିବା ୮୪୦ ହେକ୍ଟରକୁ ଅଧିକ ବୃଦ୍ଧି କରିବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି ।