ମୁଜଫରନଗର,୨୪।୬: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ପୋଲିସ ଦୁଇଟି ଫ୍ୟାକ୍ଟ୍ରିରେ ଏକ ପ୍ରକାର ବନ୍ଦୀ ଥିବା ୧୨ ଜଣ ଶ୍ରମିକଙ୍କୁ ମୁକ୍ତ କରିଛି। ମଙ୍ଗଳବାର ପୋଲିସ ପୁରା ମାମଲାର ଖୁଲାସା କରି କହିଛି, ଫ୍ୟାକ୍ଟ୍ରିରେ ବନ୍ଦୀ ଥିବା ଶ୍ରମିକଙ୍କୁ ନିର୍ଯ୍ୟାତନା ଦେଇ କାମ କରାଯାଉଥିଲା। ଦିନରେ ମାତ୍ର ଥରେ ତାଙ୍କୁ ଶୁଖିଲା ରୁଟି ଖାଇବାକୁ ଦିଆଯାଉଥିଲା। ଯଦି କୌଣସି ବ୍ୟକ୍ତି ଫ୍ୟାକ୍ଟ୍ରିରୁ ପଳାଇବାକୁ ଚେଷ୍ଟା କରୁଥିଲେ, ତେବେ ତାଙ୍କ ଉପରକୁ ପିଟବୁଲ୍ କୁକୁର ଛାଡି ଦିଆଯାଉଥିଲା।
ଏସଏସପି ସଞ୍ଜୟ କୁମାର ବର୍ମା କହିଛନ୍ତି, ସୋମବାର ସୂଚନା ମିଳିଥିଲା ଯେ, ତିତାଭି ଥାନା ଅନ୍ତର୍ଗତ ମାଣ୍ଡି ଗାଁରେ ଥିବା ଏକ ଫ୍ୟାକ୍ଟ୍ରିରେ ଶ୍ରମିକଙ୍କୁ ବନ୍ଧକ ରଖାଯାଇ କାମ କରାଯାଉଛି। ଏସପି ଅକ୍ଷୟ ସଞ୍ଜୟ ମହାଡିକ୍, ସହାୟକ ଶ୍ରମ କମିଶନର ଦେବେଶ ସିଂହ, ତହସିଲଦାର ରାଧେଶ୍ୟାମ୍ ଗୌଡ ପୋଲିସ ଟିମ୍ ସହ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲେ। ଟିମ୍ ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଝାଡଖଣ୍ଡ, ରାଜସ୍ଥାନର ୧୨ ଶ୍ରମିକଙ୍କୁ ବନ୍ଧକ ମୁକ୍ତ କରିଛି। ସେମାନଙ୍କ ଭିତରେ କିଛି ନାବାଳକା ମଧ୍ୟ ରହିଛନ୍ତି। ଫ୍ୟାକ୍ଟ୍ରି ମାଲିକଙ୍କ ବାପା ପ୍ରଦୀପ ବାଲିୟାନ ଓ ଚାକର ଶିବା ତ୍ୟାଗିଙ୍କୁ ଗିରଫ କରିଛି ପୋଲିସ। ସେଭଳି ଫ୍ୟାକ୍ଟ୍ରି ମାଲିକ ଅଙ୍କିତ ବାଲିୟାନ ଘଟଣସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଅଭିଯୁକ୍ତ ଅଙ୍କିତ ଏହି ଶ୍ରମିକଙ୍କୁ ଦେଢ ବର୍ଷ ହେବ ବନ୍ଦୀ କରି କାମ କରୁଥିଲା। ଯଦି କେହି ନିଜ ନିଜ ଭିତରେ କଥା ହେବାକୁ ଚେଷ୍ଟା କରୁଥିଲା ତାଙ୍କୁ ଠେଙ୍ଗା ଓ ହଣ୍ଟରରେ ମାଡ ମାରୁଥିଲେ। ଜଣେ ଶ୍ରମିକଙ୍କୁ ଗରମ ଭାଲା ମାରି ତାଙ୍କର କାନ ମଧ୍ୟ କାଟି ଦିଆଯାଇଥିଲା।ପୋଲିସ କହିଛି, ମାଣ୍ଡିର ଦୁଇଟି ଫ୍ୟାକ୍ଟ୍ରିରେ କାମ କରୁଥିବା ତିନି ଶ୍ରମିକ ଏବେ ବି ନିଖୋଜ ଅଛନ୍ତି। ତାଙ୍କ ଭିତରେ ନେପାଳର ଅର୍ଜୁନଙ୍କ ଶବ ନଭେମ୍ବର ୨୦୨୫ ରେ ମିଳିସାରିଛି। ଶ୍ରମିକମାନେ କହିଛନ୍ତି ଯେ, ଅର୍ଜୁନଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନେ ତାଙ୍କ ଶବକୁ ଅଖାରେ ବନ୍ଦ କରି ଫୋପାଡି ଦେଇଥିଲେ। ଦୁଇ ଶ୍ରମିକ ନିଖୋଜ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଅଙ୍କିତ ବାଲିୟାନର ଗିରଫଦାରୀ ପରେ ନିଖୋଜ ଶ୍ରମିକଙ୍କୁ ଖୋଜାଯିବ। ଏହା ସହ ହତ୍ୟାର ଧାରା ଲଗାଯିବ।