ନୂଆଦିଲ୍ଲୀ ୦୩/୦୧: ପୂର୍ବରୁ ବୈଜ୍ଞାନିକଙ୍କ ଧାରଣା ଥିଲା, ବ୍ରହ୍ମାଣ୍ଡ ଏକ ଶାନ୍ତ ସ୍ଥାନ। ଯେଉଁଠି ପୃଥିବୀରେ ଜୀବନ ଜାରି ରହିବ । ଏହା ପରେ ବିଗ୍ ବ୍ୟାଙ୍ଗ୍ ଥିଓରି ଆସିଲା, ଆକାଶଗଙ୍ଗା ଆବିଷ୍କୃତ ହେଲେ, ବ୍ଲାକହୋଲ ବିଷୟରେ ଜଣାପଡ଼ିଲା ଏବଂ ଶେଷରେ ଏଭଳି ଆବିଷ୍କାର ସାମ୍ନାକୁ ଆସିଲା, ଯାହା ବୈଜ୍ଞାନିକଙ୍କୁ ହତଚକିତ କରିଦେଲା । ତାହା ହେଲା- ବ୍ରହ୍ମାଣ୍ଡର ଦ୍ରୁତ ପ୍ରସାର ହେଉଛି ଏବଂ ଏହା ପଛରେ ଅଛି ଡାର୍କ ଏନର୍ଜି । ଏହାର ବିପରୀତ ପ୍ରଭାବ ପୃଥିବୀ ଉପରେ ପଡ଼ିବାର ଆଶଙ୍କା ରହିଛି ।

ଡାର୍କ ଏନର୍ଜି ଏଭଳି ଏକ ରହସ୍ୟମୟୀ ଶକ୍ତି, ଯାହା ବିଷୟରେ ବୈଜ୍ଞାନିକମାନେ ଆଜି ବି ବିସ୍ତୃତ ତଥ୍ୟ ହାସଲ କରି ପାରିନାହାନ୍ତି । ଏହାକୁ ଆମେ ଦେଖିପାରୁନା କି ସିଧା ମାପି ପାରୁନା । କିନ୍ତୁ ଏହାର ପ୍ରଭାବ ସ୍ପଷ୍ଟ ଦେଖାଯାଏ । ଏହି ଶକ୍ତି ବ୍ରହ୍ମାଣ୍ଡକୁ ନିରନ୍ତର ଓ ପୂର୍ବାପେକ୍ଷା ଅଧିକ ଦ୍ରୁତ ବିସ୍ତାର ପାଇଁ ବାଧ୍ୟ କରୁଛି । ପୂର୍ବରୁ କୁହାଯାଉଥିଲା, ମାଧ୍ୟାକର୍ଷଣ ଶକ୍ତି ବ୍ରହ୍ମାଣ୍ଡର ବିସ୍ତାରକୁ ଧୀରେ ଧୀରେ କମାଇବ । କିନ୍ତୁ ଜଣାପଡ଼ିଲା, ବ୍ରହ୍ମାଣ୍ଡର ବିସ୍ତାର ଆହୁରି ଦ୍ରୁତ ହେଉଛି । ଏହି ଅଜଣା କାରଣକୁ ଡାର୍କ ଏନର୍ଜି ନାମ ଦିଆଗଲା । ବୈଜ୍ଞାନିକଙ୍କ ଅନୁସାରେ, ପ୍ରାୟ ୭୦ ପ୍ରତିଶତ ବ୍ରହ୍ମାଣ୍ଡ ଡାର୍କ ଏନର୍ଜିରୁ ସୃଷ୍ଟି ହୋଇଛି ।

ଅତ୍ୟନ୍ତ ବ୍ୟାପକ ସ୍ତରରେ ଏହାର ପ୍ରଭାବ ପଡୁଛି ଯଥା- ଆକାଶଗଙ୍ଗାଙ୍କ ମଧ୍ୟରେ ଦୂରତା ବୃଦ୍ଧି । ଏହାର ପ୍ରଭାବ ପୃଥିବୀ, ସୂର୍ଯ୍ୟ କିମ୍ବା ସୌରମଣ୍ଡଳ ଉପରେ ନ ଥିଲା । କାରଣ ଏଠାରେ ମାଧ୍ୟାକର୍ଷଣ ଶକ୍ତିଶାଳୀ ଥିଲା । କିନ୍ତୁ ନାସା ଅନୁସାରେ, ବ୍ରହ୍ମାଣ୍ଡ ସୃଷ୍ଟିର ପ୍ରାୟ ୯ ଅରବ ବର୍ଷ ପରେ ଏହି ଶକ୍ତି ମାଧ୍ୟାକର୍ଷଣ ଉପରେ ଭାରୀ ପଡ଼ିବାକୁ ଲାଗିଲା । ଏହା ଦ୍ୱାରା ମହାକାଶର ବିସ୍ତାର ଧିମା ହେବା ପରିବର୍ତ୍ତେ ଆହୁରି ଦ୍ରୁତ ହୋଇ ଚାଲିଲା ।

ଡାର୍କ ଏନର୍ଜି ଆଖିକୁ ଦିଶେନା । ଏହା ଆଲୋକ ଛାଡ଼େନାହିଁ କି ପ୍ରତିବିମ୍ବିତ କରେ ନାହିଁ । ତଥାପି ଏହା ସମଗ୍ର ବ୍ରହ୍ମାଣ୍ଡର ହାରାହାରି ୭୦ ପ୍ରତିଶତ ଅଂଶ । ଅର୍ଥାତ୍ ସମସ୍ତ ନକ୍ଷତ୍ର, ଗ୍ରହ, ଆକାଶଗଙ୍ଗା, ଏପରିକି ଡାର୍କ ମ୍ୟାଟର୍କୁ ମିଶାଇଲେ ମଧ୍ୟ ଏହାଠୁ କମ୍ ହେବ । ବୈଜ୍ଞାନିକମାନେ ଏହାର ଅନ୍ୱେଷଣ କରିନାହାନ୍ତି, ବରଂ ହଠାତ୍ ଏହା ସାମ୍ନାକୁ ଆସିଛି । ଗଣନା ହିସାବରେ ବ୍ରହ୍ମାଣ୍ଡର କାର୍ଯ୍ୟକଳାପ ସେଭଳି ନ ହେବାରୁ ଡାର୍କ ଏନର୍ଜି ବିଷୟରେ ଜଣାପଡ଼ିଲା । ୧୯୨୨ରେ ଋଷୀୟ ଗଣିତଜ୍ଞ ଆଲେକ୍ଜାଣ୍ଡର ଫ୍ରିଡ୍ମ୍ୟାନ୍ ବ୍ରହ୍ମାଣ୍ଡ ଭବିଷ୍ୟତର ଭିନ୍ନ ଭିନ୍ନ ସମ୍ଭାବନା ସାମ୍ନାକୁ ଆଣିଲେ । ତାଙ୍କ ଗଣନା କହିଲା- ବ୍ରହ୍ମାଣ୍ଡ ସ୍ଥିର ନୁହେଁ, ଏହା ବିସ୍ତାର କରିପାରେ । ଏହାର ଶେଷ ଯାଏ ନ ପହଞ୍ଚିପାରିବାରୁ ଏହାକୁ ଡାର୍କ ଏନର୍ଜି ଅର୍ଥାତ୍ କୌଣସି ରହସ୍ୟମୟୀ ଶକ୍ତି ନାମ ଦିଆଗଲା ।

ମାଧ୍ୟାକର୍ଷଣର କାମ ହେଉଛି ବସ୍ତୁଗୁଡ଼ିକୁ ଯୋଡ଼ିବା । ଏହା ମାଧ୍ୟମରେ ନକ୍ଷତ୍ର, ଗ୍ରହ ଓ ଆକାଶଗଙ୍ଗା ସୃଷ୍ଟି ହୁଏ । କିନ୍ତୁ ଡାର୍କ ଏନର୍ଜି ଏହାର ବିପରୀତ କାମ କରେ । ଏହା ବସ୍ତୁଗୁଡ଼ିକୁ ବାହାରକୁ ଧକ୍କା ଦିଏ । ଯାହା ଦ୍ୱାରା ଅତ୍ୟନ୍ତ ବ୍ୟାପକ ସ୍ତରରେ ବ୍ରହ୍ମାଣ୍ଡର ବିସ୍ତାର ହେଉଛି । ଅନେକ ବର୍ଷ ଯାଏ ବିଶେଷଜ୍ଞଙ୍କ ଧାରଣା ଥିଲା, ଡାର୍କ ଏନର୍ଜି ସ୍ଥିର । ଅର୍ଥାତ୍ ଅପରିବର୍ତ୍ତିତ । କିନ୍ତୁ ଯଦି ଏପରି ହୋଇଥାନ୍ତା, ତେବେ ବ୍ରହ୍ମାଣ୍ଡର ବିସ୍ତାର ସର୍ବଦା ହେଉଥାନ୍ତା ଏବଂ ଧୀରେ ଧୀରେ ଥଣ୍ଡା ଓ ଖାଲି ହେଉଥାନ୍ତା । ଏହି ଅବଧାରଣାକୁ ବିଗ୍ ଫ୍ରିଜ୍ କୁହାଯାଏ । ତେବେ ଏଭଳି ହେଲା ନାହିଁ । ଏ ନେଇ କିଛି ସଦ୍ୟତମ ଅଧ୍ୟୟନ ଚିନ୍ତା ବଢ଼ାଇଛି । ଡାର୍କ ଏନର୍ଜି ସମୟ ସହିତ ବୋଧହୁଏ ଦୁର୍ବଳ ହେଉଛି । ଯଦି ଏଭଳି ହୁଏ, ମାଧ୍ୟାକର୍ଷଣ ପୁଣି ଧୀରେ ଧୀରେ ଭାରୀ ହୋଇପାରେ । ବ୍ରହ୍ମାଣ୍ଡର ବିସ୍ତାର ଧିମା ହୋଇପାରେ ଏବଂ ଅଟକିପାରେ । ଶେଷରେ ବ୍ରହ୍ମାଣ୍ଡ ସଙ୍କୁଚିତ ହୋଇପାରେ । ଏହି ସ୍ଥିତିକୁ ବିଗ୍ କ୍ରଞ୍ଚ୍ କୁହାଯାଏ । ବିଗ୍ କ୍ରଞ୍ଚ୍ ସ୍ଥିତିରେ ଆକାଶଗଙ୍ଗା ପରସ୍ପରର ଆହୁରି ନିକଟତର ହେବାକୁ ଲାଗିବେ, ତାପମାତ୍ରା ବଢ଼ିବ ଏବଂ ମହାକାଶ ସଙ୍କୁଚିତ ହେବ । ଏହାର ଅର୍ଥ ବ୍ରହ୍ମାଣ୍ଡ ଶେଷରେ ଅତ୍ୟନ୍ତ ଘନ ଓ ଉତ୍ତପ୍ତ ହୋଇ ଶେଷ ହୋଇଯିବ । ବିଗ୍ କ୍ରଞ୍ଚ୍ ଓ ବିଗ୍ ଫ୍ରିଜ୍ ଦୁଇଟିଯାକ ସ୍ଥିତି ବିପଦପୂର୍ଣ୍ଣ । କିନ୍ତୁ ବୈଜ୍ଞାନିକଙ୍କ ଚିନ୍ତାର ବିଷୟ ହେଉଛି, ଏବେ ଏହି ସମ୍ଭାବନା ବଢୁଥିବା ଦେଖାଯାଉଛି । ଡାର୍କ ଏନର୍ଜି ସେଭଳି ଆଚରଣ କରୁନାହିଁ, ଯାହା ପୂର୍ବରୁ ସେମାନଙ୍କ ଧାରଣା ଥିଲା । ଏହି ସ୍ଥିତିରେ ମାଧ୍ୟାକର୍ଷଣ ଦ୍ରୁତ ବେଗରେ ଭାରୀ ପଡ଼ିପାରେ ଏବଂ ପୃଥିବୀ ସମୟ ପୂର୍ବରୁ ନଷ୍ଟ ହୋଇପାରେ ।

ବ୍ରହ୍ମାଣ୍ଡର ବିସ୍ତାରକୁ ଉପଯୁକ୍ତ ଢଙ୍ଗରେ ବୁଝିବା ଲାଗି ନୂଆ ଉପାୟ ପ୍ରସ୍ତୁତ କରାଯାଉଛି । ଉଦ୍ଦେଶ୍ୟ- ଡାର୍କ ଏନର୍ଜି ସ୍ଥିର ନା ଧୀରେ ଧୀରେ ଦୁର୍ବଳ ହେଉଛି, ଜାଣିବା । ବ୍ରହ୍ମାଣ୍ଡର ଅନ୍ତ କେମିତି ହେବ ଅବା ହେବ କି ନାହିଁ ଏବଂ ଡାର୍କ ଏନର୍ଜିର ଉପସ୍ଥିତିର କାରଣ କ’ଣ, ଏଥିରୁ ଜଣାପଡ଼ିପାରେ ।