କଟକ,୦୩/୦୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା  ଘଟଣାରେ ନୋଟିସ୍‌ ପାଇଥିବା ଶ୍ରୀ ଦାସଙ୍କ ଝିଅ ତଥା ପୂର୍ବତନ  ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ ସୋମବାର କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହୋଇପାରନ୍ତି । ଘଟଣାରେ  କ୍ରାଇମ୍‌ବ୍ରାଞ୍ଚ୍‌ କରିଥିବା ତଦନ୍ତ ନେଇ ଯଦି ଉଭୟଙ୍କର କିଛି  ଆପତ୍ତି ବା ଆଶଙ୍କା ଥାଏ ତାହେଲେ ସେମାନେ ହାଜର  ହୋଇ ନିଜ ମତ ଜଣାଇ ପାରିବେ । କିଛି ଦିନ ତଳେ  ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ  ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ନିରପେକ୍ଷତା ଓ ତଦନ୍ତ ଦକ୍ଷତା  ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହତ୍ୟା ମାମଲାରେ  ଅଭିଯୋଗକାରୀ ଥିବା ସ୍ୱର୍ଗତ ଦାସଙ୍କ ପରିବାରଠାରୁ ଏକପ୍ରକାର  ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ୍‌ ଜାରି ହୋଇଥିବା  କ୍ରାଇମବ୍ରାଞ୍ଚ୍‌ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।  

ଡିଜି ଶ୍ରୀ ମିଶ୍ରଙ୍କ କହିବାନୁସାରେ, ୪ରୁ ୫ ଦିନ ହେବ  ଏହି ନୋଟିସ୍‌ ଦିଆଯାଇଛି । ୭ ଦିନ ମଧ୍ୟରେ ହାଜର ହେବାକୁ  ଉଭୟଙ୍କୁ କୁହାଯାଇଥିଲା । ଅଭିଯୋଗକାରୀ ଭାବେ ଦୁହିଙ୍କ  ମନରେ ଏହି ହତ୍ୟା ଘଟଣା ନେଇ ଯଦି କିଛି ଆଶଙ୍କା ରହିଛି  ବା ସେମାନେ ତଦନ୍ତର କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଯଦି  ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାଇଲେ ସେହି ଅନୁସାରେ ଆଗାମୀ  କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଦିଆଯାଇଥିବା ସମୟ ଆସନ୍ତା  ସୋମବାର ପୂରୁଥିବାରୁ ସମ୍ଭବତଃ ସେଦିନ ଦୁହେଁ ହାଜର  ହୋଇ ପକ୍ଷ ରଖିବେ ବୋଲି କ୍ରାଇମବ୍ରାଞ୍ଚ୍‌ ଅନୁମାନ କରୁଛି ।  

୨୦୨୩ ଜାନୁଆରୀ ୨୯ରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ  ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ କିଛି  ମାସ ହେବ ରାଜ୍ୟରେ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ବିଶେଷକରି  ଶ୍ରୀ ଦାସଙ୍କ ଝିଅ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ  ବୋଲି କହିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା ।  ତେଣୁ ନୋଟିସ୍‌ ପାଇବା ପରେ ଏନେଇ ଦୀପାଳି ଓ ବିଶାଲ  କ’ଣ ମତଦେବେ ତାହାକୁ ସମସ୍ତଙ୍କର ଅପେକ୍ଷା । ସେହିପରି  ଦୀପାଳିଙ୍କ ପକ୍ଷ ଶୁଣିବା ପରେ କ୍ରାଇମବ୍ରାଞ୍ଚ୍‌ କ’ଣ ପରବର୍ତ୍ତୀ  ପଦକ୍ଷେପ ନେଉଛି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।  ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ନବ ଦାସଙ୍କ  ଘରର ରୋଷେୟା ହତ୍ୟାକାଣ୍ଡର ପୁନଃତଦନ୍ତ ମଧ୍ୟ ଆରମ୍ଭ  ହୋଇଛି । ଆଉ ଏହା ଭିତରେ ନବ ଦାସଙ୍କ ଝିଅ ଓ ପୁଅକୁ  କ୍ରାଇମବ୍ରାଞ୍ଚ୍‌ ନୋଟିସ୍‌ କରି ଡାକିବା ଚର୍ଚ୍ଚାର ବିଷୟ ପାଲଟିଛି ।