ନାଗପୁର,୧୮/୦୩: ମହାରାଷ୍ଟ୍ରର ଛତ୍ରପତି  ଶମ୍ଭାଜୀନଗର ଜିଲ୍ଲାରେ ଥିବା ମୋଗଲ ଶାସକ  ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ସୋମବାର ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସାକାଣ୍ଡ  ଘଟିଥିଲା । ଢ଼େଲାପଥର ମାଡ଼ ସହ ଅନେକ ଗାଡିକୁ ନିଆଁ  ଲଗାଇ ପୋଡି ଦିଆଯାଇଛି । ପୁଲିସ ମଧ୍ୟ ଲୁହବୁହା ଗ୍ୟାସ୍‌  ପ୍ରୟୋଗ କରିବା ସହ ଲାଠିମାଡ଼ କରିଥିଲା । ଏଥିରେ ଅନେକ  ଆହତ ହୋଇଥିଲା ବେଳେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଛି  ପୁଲିସ। 

ସୂଚନା ଅନୁସାରେ ସୋମବାର ରାତିରେ  ନାଗପୁରର ମହଲ ଅଞ୍ଚଳରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ  ଔରଙ୍ଗଜେବ କବର ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ  କରାଯାଉଥିଲା । ବିକ୍ଷୋଭକାରୀମାନେ ଔରଙ୍ଗଜେବଙ୍କ  କୁଶପୁତ୍ତଳିକା ଦାହ କରିବା ସହ ପବିତ୍ର ଧର୍ମଗ୍ରନ୍ଥକୁ ପୋଡି  ଦେଇଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଅନ୍ୟ ଏକ  ଗୋଷ୍ଠୀର ସଦସ୍ୟମାନେ ସହରରେ ଏକାଠି ହୋଇ ଏହାର  ଦୃଢ଼ ବିରୋଧ କରିବା ସହ ଧାର୍ମିକ ଭାବନାକୁ ଆଘାତ  ପହଞ୍ଚାଇଥିବା ଅଭିଯୋଗ କରିଥିଲେ । ଭିଡ ବଢ଼ୁଥିବାରୁ  ପୁଲିସ ସେମାନଙ୍କୁ ଘଉଡାଇବା ଲାଗି ଉଦ୍ୟମ କରିଥିଲା ।  ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକ ଏକାଠି  ହେବା ପରେ ରାତି ପ୍ରାୟ ୮ଟା ୩୦ ବେଳକୁ ହିଂସାକାଣ୍ଡ  ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ପଥରମାଡ଼  କରାଯିବା ସହ ୨ଟି ଜେସିବି ଓ ୧୫ରୁ ଅଧିକ କାର୍‌କୁ ଜାଳି  ଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ  ପୁଲିସଙ୍କୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ  ୧୬୩ ଧାରା ଜାରି କରାଯାଇଛି । ଶାନ୍ତି ବଜାୟ ରଖିବା ସହ  ଗୁଜବରେ ବିଶ୍ୱାସ ନ କରିବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର  ଫଡନବିସ୍‌ ଲୋକମାନଙ୍କୁ ନିବେଦନ କରିଛନ୍ତି ।

କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍ , ଗୁଳି କରି ନୀରଜ ବୱାନାର ମୁଖ୍ୟ ସହଯୋଗୀକୁ ଧରିଲା ପୁଲିସ