ମୁମ୍ୱାଇ, ୨୪।୩: ନାଗପୁର ସାମ୍ପ୍ରଦାୟିକ ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉପରେ ଚାଲିଲା ବୁଲଡୋଜର । ବେଆଇନ ଭାବେ ନିର୍ମାଣ ହୋଇଥିଲା ଫହିମ ଖାନ ଘର । ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ ଖାନଙ୍କ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଲାଯାଇଛି । ନାଗପୁରର ଯଶୋଧରା ନଗର ଅଞ୍ଚଳର ସଞ୍ଜୟ ବାଗ କଲୋନୀରେ ଅବସ୍ଥିତ ଏହି ଘରଟି ଫହିମଙ୍କ ସ୍ତ୍ରୀଙ୍କ ନାଁରେ ପଞ୍ଜିକୃତ ଥିଲା । ଘରଟି ୮୬.୪୮ ବର୍ଗ ମିଟରରେ ନିର୍ମିତ । ଫହିମର ମୋମିନପୁରା ଅଞ୍ଚଳରେ ଏକ ବୁର୍ଖା ଦୋକାନ ଅଛି । ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହିମ ଖାନଙ୍କ ବିରୋଧରେ ମାର୍ଚ୍ଚ ୨୧ ରେ ଏକ ନୋଟିସ୍ ଜାରି କରାଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ନିଜେ କହିଥିଲା ବିଏମସି । ଆଜି ପୌରପାଳିକା ବେଆଇନ ନିର୍ମାଣକୁ ଭାଙ୍ଗି ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବାର ଗୋଟିଏ ଦିନ ପରେ ଏହି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି ।

କହିରଖୁ କି, ମାଲେଗାଓଁର ବାସିନ୍ଦା ଏବଂ ଜଣେ ସ୍ଥାନୀୟ ରାଜନେତା ଫହିମ ଖାନଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ଆସିଛି । ନାଗପୁର ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୧୨ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୨୧ ଜଣ ନାବାଳକ ଥିବା ବେଳେ ନାବାଳକମାନେ ପୋଲିସ ହେପାଜତରେ ଅଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ୨୧ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଛତ୍ରପତି ସମ୍ଭାଜୀନଗରରେ ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ଚାଲିଥିବା ପ୍ରତିବାଦ ସମୟରେ ଧାର୍ମିକ ଶିଳାଲେଖ ସହିତ ଏକ 'ଚାଦର' ପୋଡ଼ି ଦିଆଯାଇଥିବା ଗୁଜବ ମାର୍ଚ୍ଚ ୧୭ରେ ଆରମ୍ଭ ହୋଇଥିଲା । ଏହି ସଂଘର୍ଷ ଫଳରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପଥରମାଡ଼ ଏବଂ ପୋଡ଼ାଜଳା ହୋଇଥିଲା । ଯେଉଁଥିରେ ୩ ଜଣ ଡେପୁଟି ପୋଲିସ କମିଶନର ଅଧିକାରୀ ସମେତ ୩୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।