ନୂଆଦିଲ୍ଲୀ,୨୬।୭: ଦେଶ ସେବାରେ ସୀମାରେ ମୁତୟନ ସୈନିକଙ୍କ ପରିବାରକୁ ମିଳିବ ସୁରକ୍ଷା। ଏବେ ଏକାକୀ ଲଢିବାକୁ ପଡିବନି ଆଇନଗତ ଲଢେଇ। ଭାରତରେ ପ୍ରଥମ ଥର ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ପରିବାରକୁ ଆଇନଗତ ସହାୟତା ଦେବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି। ଏହାର ନାଁ ରହିଛି ‘NALSA ବୀର ପରିବାର ସହାୟତା ଯୋଜନା ୨୦୨୫’। । ଆଜି ଏହାର ଔପଚାରିକ ଶୁଭାରମ୍ଭ ଶ୍ରୀନଗରରୁ ହୋଇଛି। ଏହାର ପ୍ରଥମ ମୂଳ ବାର୍ତ୍ତା ହେଉଛି ଆପଣ ସୀମାରେ ଦେଶ ସେବା କରନ୍ତୁ, ଆମେ ଆପଣଙ୍କ ପରିବାରର ଯତ୍ନ ନେବୁ।’
ଏହି ଐତିହାସିକ ଯୋଜନାର ଉଦଘାଟନ ରାଷ୍ଟ୍ରୀୟ ଆଇନଗତ ସେବା ପ୍ରାଧିକରଣ ବା NALSA ର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଭାରତର ଆଗାମୀ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଶର୍ମା କରିଛନ୍ତ। ଏହି ଅବସରରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବଲ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା ମଧ୍ୟ ଉପସ୍ଥିତ ଥିଲେ।
ଏହି ଯୋଜନା ‘ଅପରେସନ୍ ସିନ୍ଦୂର’ ପରେ ଆରମ୍ଭ ହୋଇଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୈନିକଙ୍କ ପରିଶ୍ରମ ଓ ବଳିଦାନକୁ ଅତି ନିକଟରୁ ଦେଖିଥିଲେ। ଏହାପରେ ତାଙ୍କୁ ଅନୁଭବ ହୋଇଥିଲା ସୈନିକଙ୍କ ପରିବାରକୁ ଆଇନ ଜଗତରୁ ମଧ୍ୟ ସହାୟତା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ଦରକାର। ଯେତେବେଳେ ଜଣେ ଯବାନ ଦେଶର ସୀମାରେ ରହିଥାନ୍ତି, ତାଙ୍କୁ ଏହି ଭରସା ମିଳିବା ଦରକାର ତାଙ୍କ ପରିବାରର ଅଧିକାରର ରକ୍ଷା ଦେଶର ନ୍ୟାୟପାଳିକା କରିବ। ଏହି ଯୋଜନା ଅନୁସାରେ, ସୈନିକଙ୍କ ପରିବାରର ସମ୍ପତ୍ତି ବିବାଦ, ପାରିବାରିକ ମାମଲା, ଆର୍ଥିକ ଲେଣଦେଣ ଓ ଅନ୍ୟ ଆଇନଗତ ପ୍ରସଙ୍ଗରେ ମାଗଣାରେ ପରାମର୍ଶ ଓ ସହାୟତା ପ୍ରଦାନ କରାଯିବ। ନାଲସା ଦେଶ ସାରା ଜିଲ୍ଲା ଆଇନଗର ସେବା ପ୍ରାଧିକରଣ ବା ଡିଏଲଏସ୍ଏ ମାଧ୍ୟମରେ ବିଶେଷ ଶିବିର ଓ ହେଲପଲାଇନ୍ ସ୍ଥାପିତ କରିବାର ଯୋଜନା କରୁଛି। ଫଳରେ ସୈନିକଙ୍କ ପରିବାର ପର୍ଯ୍ୟନ୍ତ ଏହି ସୁବିଧା ତୁରନ୍ତ ପହଁଞ୍ଚି ପାରିବ ।ଏଥିପାଇଁ ଓକିଲଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ୟାନେଲ ଗଠନ କରାଯିବ।