ବାରଙ୍ଗ,୧୨/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏବେ ସେମାନେ ଦେଖିପାରିବେ ନୂଆ ପ୍ରଜାତିର ମାଙ୍କଡ ରିଙ୍ଗ୍ଟେଲ୍ଡ ଲେମୁର । ବୁଧବାର ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧି ଚିଡ଼ିଆଖାନାରୁ ୫ ପ୍ରଜାତିର ୧୧ ଜୀବଜନ୍ତୁ ନନ୍ଦନକାନନକୁ ଆସିଛନ୍ତି । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗ୍ଟେଲ୍ଡ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିଛନ୍ତି । ଏହି ଜନ୍ତୁ ଆସିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପ୍ରଜାତି ୧୭୮କୁ ବୃଦ୍ଧି ପାଇଛି । ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳାଇ ସେମାନଙ୍କ ମୃତ୍ୟୁ ହାର କମାଇବା ପାଇଁ ବିଭିନ୍ନ ଚିଡ଼ିଆଖାନା ସହିତ ଅଦଳବଦଳ ପ୍ରକ୍ରିୟା କରାଯାଉଛି । ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଥିଲା ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣା ଇନ୍ଦିରା ଗାନ୍ଧି ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇଥିଲା । ଗତ ୭ ତାରିଖରେ ନନ୍ଦନକାନନରୁ ୫ ପ୍ରଜାତିର ୧୫ ଜୀବଜନ୍ତୁ ବିଶାଖାପାଟଣା ଯାଇଥିଲେ । ସେଥିରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାରାସିଙ୍ଗା, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚଉସିଂଙ୍ଗା, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ଗୁରାଣ୍ଡି, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଘଡ଼ିଆଳ କୁମ୍ଭୀର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଆସାମୀ ମାଙ୍କଡ଼ ଥିଲେ ।

ଅଧିକ ପଢ଼ନ୍ତୁ :- ଗ୍ୟାସ ଅଭାବ: ସତ୍ୟନଗର ଶ୍ମଶାନରେ ଗ୍ୟାସ୍ ଚାଳିତ ଶବଦାହ ବନ୍ଦ