ଶ୍ରୀମନ୍ଦିରରେ ଏହି ଯାତ୍ରା ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ (ଜନ୍ମଦିନ) କୁ କେନ୍ଦ୍ର କରି ଭାଦ୍ର କୃଷ୍ଣପକ୍ଷ ସପ୍ତମୀଠାରୁ ଶୁକ୍ଳ  ଦଶମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ସେହି କ୍ରମରେ ସପ୍ତମୀ  ଦିନ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବଢ଼ିବା ପରେ (ସମାପ୍ତି) ଜୟ-ବିଜୟ ଦ୍ୱାର ବନ୍ଦ କରିଦିଆଯାଇ ଭିତରକାଠ ନିକଟରେ ଟେରା  ବନ୍ଧାଯାଏ ଓ ଅଣସର ପିଣ୍ଡିକୁ ‘ଜେଉଟ ଭୋଗ' ଛେକରେ  ଅଣାଯାଏ । ସୁଖ ପ୍ରସବ ପାଇଁ ଜେଉଟ ହେଉଛି ଏକପ୍ରକାର  ଖଟା ନୈବେଦ୍ୟ । ଭୋଗ ପରେ ତିନି ଠାକୁରଙ୍କ ଠାରେ  ବନ୍ଦାପନା ହୁଏ ଓ ମହାପ୍ରଭୁଙ୍କର ବାଡ଼ରେ ସୁଖ ପ୍ରସବ ପାଇଁ  ଅଧିକ ଗୋଟିଏ ବନ୍ଦାପନା ହୋଇଥାଏ । ଅର୍ଥାତ୍‌ ମହାପ୍ରଭୁ ନିଜେ ହିଁ ଜନ୍ମଦାତା ଓ ନିଜେ ହିଁ କର୍ତ୍ତା । ଜନ୍ମାଷ୍ଟମୀ ଦିନ  ସନ୍ଧ୍ୟାଧୂପ ନୀତି ସମାପ୍ତିରେ ଜୟ-ବିଜୟ ଦ୍ୱାର ବନ୍ଦ କରାଯାଇ  ଭଣ୍ଡାରଘର ଦ୍ୱାରଠାରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୁଏ । ଭିତରେ ପାଣି ପଡ଼ି ପୋଛାଯାଇ ପରିଷ୍କାର କରାଯିବା ପରେ ପୂଜାପଣ୍ଡା ସେଠାରେ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତୋଭଦ୍ର ମଣ୍ଡଳ ତିଆରି କରନ୍ତି । 

ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ  ସେବକ ଜନ୍ମ ଚକଡ଼ାରେ ବସି ସଂକଳ୍ପ ପାଠପୂର୍ବକ ବରୁଣ  ପୂଜା କରନ୍ତି । କୃଷ୍ଣଜନ୍ମପଟି ଓ ରୁପା ପଦ୍ମପାଖୁଡ଼ା ଏହି ମଣ୍ଡଳ  ଉପରେ ରଖାଯାଏ । ଏଥିରେ ଥିବା ୯ଟି ପାଖୁଡ଼ାରେ- ଦେବକୀ,  ବାସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର ଓ  ଗାର୍ଗବ ଋଷି ଲେଖା ଥାଏ । ନବମ ମଣ୍ଡଳ ଉପରେ ଏକ ସ୍ୱର୍ଣ୍ଣ  ନିର୍ମିତ କୃଷ୍ଣ ମୂର୍ତ୍ତି ରଖାଯାଏ । ଏହି ମଣ୍ଡଳ ଉପରେ ଚିତ୍ରକର ଦେଇଥିବା କୃଷ୍ଣଜନ୍ମପଟି ସଂସ୍କାରପୂର୍ବକ ସ୍ଥାପନା କରାଯାଇ  ନଅଗୋଟି ବିଗ୍ରହଙ୍କ ଠାରେ ନଅଗୋଟି ପନ୍ତିଭୋଗ କରାଯାଏ ।  ଅନ୍ୟାନ୍ୟ ବିଧି ସଂପନ୍ନ ହେବା ପରେ ଦକ୍ଷିଣ ଘରୁ ବିଜେପ୍ରତିମା  ମଦନମୋହନଙ୍କୁ ସଂପୂର୍ଣ୍ଣ ବିବସ୍ତ୍ର କରାଯାଇ (ସଦ୍ୟ ଜନ୍ମିତ  ଶିଶୁ ଜ୍ଞାନରେ) ରତ୍ନସିଂହାସନରେ ବିଜେ କରାଯାଏ । ଆଜ୍ଞାମାଳ  ପ୍ରାପ୍ତି ପରେ ମହାଜନ ସେବକମାନେ ଠାକୁରଙ୍କୁ ଜନ୍ମଚକଡ଼ା  (ଭିତର କାଠ)ରେ ବିଜେ କରାନ୍ତି । ଏହି ସ୍ଥାନରେ ପ୍ରତିମାକୁ  ଶ୍ରୀକୃଷ୍ଣ କଳ୍ପନା କରାଯାଇ ତାଙ୍କ ନିକଟରେ ଷୋଡ଼ଶୋପଚାର  ବିଧିରେ ଶୀତଳ ଭୋଗ ମଣୋହି କରାଯାଇଥାଏ । 

ଦୁଇଜଣ  ମହାଜନ ସେବକ ଦେବକୀ ଓ ବସୁଦେବ ରୂପରେ ଲୁଗା  ଘୋଡ଼େଇ ହୋଇ ଜନ୍ମବିଧି ସଂପାଦନ କରନ୍ତି । ଏହାପରେ ନବଜାତକଙ୍କୁ ପ୍ରସାଦ ଲାଗି କରାଯାଇ ଦୁଧ, ଲହୁଣୀ ଓ ଗଣ୍ଡୁଷ  (ଜନ୍ମବିଧି ପାଇଁ ଗୋଲମରିଚ, ଜିରା, ଅଦା ଓ ଚିନିରେ ପ୍ରସ୍ତୁତ  ନୈବେଦ୍ୟ) ମସଲା ସମର୍ପଣ କରାଯାଏ । କର୍ପୂର ଆଳତି ପରେ  ମଦନମୋହନ ଏକ ରୁପା ଥାଳିରେ ଶୟନପୂର୍ବକ ମହାଜନଙ୍କ  ହାତରେ ବିଜେ ହୋଇ ବିନା ଘଣ୍ଟ, ଛତା, କାହାଳୀ ଓ ବାଜାରେ  ସରସ୍ୱତୀଙ୍କ ମନ୍ଦିର ଆଡ଼କୁ ଯାତ୍ରା କରନ୍ତି । ଦୁଇଜଣ ସେବକ ଦେବକୀ ଓ ବସୁଦେବ ବେଶରେ  ନବଜାତକ ସହିତ ଯାତ୍ରା କରିଥାନ୍ତି । ସରସ୍ୱତୀ ମନ୍ଦିର ନିକଟକୁ  ଯମୁନା ନଦୀ କୁହାଯାଇଥାଏ । ବେହେରା ଖୁଣ୍ଟିଆ ସେବକ  ଠାକୁରଙ୍କ ମସ୍ତକ ଉପରେ ସପ୍ତଫେଣା ବାସୁକୀର ପ୍ରତିମୂର୍ତ୍ତି  ଧରି ଚାଲିଥାଏ । ବାଟରେ ଉଗ୍ରସେନ ବେଶରେ ଅନ୍ୟ ଜଣେ  ପୂଜାପଣ୍ଡା ସେବକ ଠାକୁରଙ୍କ ନିକଟରେ ଦଣ୍ଡପ୍ରଣାମ କରନ୍ତି ।  ସରସ୍ୱତୀଙ୍କ ମନ୍ଦିର ନିକଟରେ ପ୍ରସାଦଲାଗି ଓ ବନ୍ଦାପନା ପରେ  ଘଣ୍ଟ, ଛତା ଓ ବାଜା ପଟୁଆର ସହିତ ବିଜେଠାକୁର ନାଭିକଟା  ମଣ୍ଡପକୁ ବିଜେ କରନ୍ତି । ସେତିକିବେଳେ ଦକ୍ଷିଣ ଘରୁ ରାମ  ଓ କୃଷ୍ଣଙ୍କୁ (ନନ୍ଦ ଓ ଉପନନ୍ଦ) ଶେଯରେ ବିଜେ କରାଯାଏ ।  ସେଠାରେ ନବଜାତକ (ଶ୍ରୀକୃଷ୍ଣ)ଙ୍କ ନାଭି ଛେଦନ ଠାରୁ ଆରମ୍ଭ  କରି ଅନ୍ୟାନ୍ୟ ଉପକର୍ମ ଓ ଯଜେ୍ଞାପବୀତ ଗ୍ରହଣ ପର୍ଯ୍ୟନ୍ତ ସକଳ  ନୀତି ବିଧିବିଧାନ ମାନବୀୟ ଲୀଳା କ୍ରମରେ ସଂପନ୍ନ ହୁଏ ।  

ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଲୀଳା ପାଳିତ ହୁଏ ।  ଉତ୍ସବର ଅଂଶସ୍ୱରୂପ ରାମ, କୃଷ୍ଣ ଓ ମଦନମୋହନ ଦୋଳିକୁ  (ଜୟ-ବିଜୟ ଦ୍ୱାର ଓ ବାହାର କାଠ ନିକଟ) ବିଜେ ହେବା  ପରେ ଷଷ୍ଠୀ ମାର୍କଣ୍ଡି ପୂଜା ହୋଇ ଛେକ ଆସି ମହାପ୍ରଭୁଙ୍କ  ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୁଏ । ଏହାପରେ ସାତ ପାହାଚ ଠାରେ  ‘ବିଜୁଳି କନ୍ୟା' ନୀତି ସଂପନ୍ନ କରାଯାଏ । ଅନ୍ୟାନ୍ୟ କେତେକ ବିଧି ସମାପ୍ତିରେ ସରସ୍ୱତୀଙ୍କ ମନ୍ଦିର ନିକଟରେ ନନ୍ଦରାଜାଙ୍କ  ଦ୍ୱାରା ‘ଗୋଦୋହନ' ନୀତି ହୁଏ । ଏହି ନୀତିରେ ଗୋଟିଏ  ସଦ୍ୟ ଜନ୍ମ କରିଥିବା ଗାଈକୁ ବାଇଶି ପାହାଚ ବାଟ ଦେଇ  ସେଠାକୁ ଅଣାଯାଏ । ନନ୍ଦରାଜା (ଭିତରଛୁ ସେବକ) ନିଜେ  ତା’ଠାରୁ କ୍ଷୀର ଦୁହିଁ ନବଜାତକକୁ ମଣୋହି କରିଥାଆନ୍ତି । ଉକ୍ତ  ଦିନ ସହର ନିକଟସ୍ଥ ମଙ୍ଗଳା ନଦୀକୁ ଯମୁନା ଜ୍ଞାନ କରାଯାଇ  ସେଠାରେ ଯମୁନା ଗାଧୁଆ, ମେଳା ଓ ମେଣ୍ଢା ଲଢ଼େଇ ଆଦି  ଆନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥାଏ ।  

ଶ୍ରୀକୃଷ୍ଣ ଅବତାରର ଲୀଳା ଓ ବେଶ କ୍ରମରେ ଶ୍ରାବଣ  ଅଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ, ନବମୀରେ ନନ୍ଦୋତ୍ସବ,  ଦଶମୀରେ ତିନି ଠାକୁରଙ୍କର ବଣଭୋଜି ବେଶ, କୋଳିବିକା,  ବକାସୁର ବଧ ଓ ଅର୍ଘାସୁର ବଧ ଲୀଳାଭିନୟ, ଏକାଦଶୀ ଦିନ  ଶ୍ରୀଜିଉଙ୍କର କାଳୀୟଦଳନ ବେଶ, ମାର୍କଣ୍ଡରେ କାଳୀୟଦଳନ  ନୀତି, ଧେନୁକାସୁର ବଧ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁର ବଧ ବେଶ,  ତ୍ରୟୋଦଶୀ ତିଥିରେ କୃଷ୍ଣ ବଳରାମ ବେଶ, ଅମାବାସ୍ୟା ଦିନ  ବସ୍ତ୍ରହରଣ, ପ୍ରତିପଦାରେ ଦାବାଗ୍ନି ଲୀଳା, ଦ୍ୱିତୀୟା ଦିନ ନିକୁଞ୍ଜ, ତୃତୀୟାରେ ଅନ୍ଧଚକ୍ଷୁଦାନ ଓ ପଞ୍ଚମୀରେ ଦାହଲୀଳା ଅନୁଷ୍ଠିତ  ହୁଏ । ଷଷ୍ଠୀ ଦିନ ବିମ୍ବାସୁର ବଧ, ସପ୍ତମୀ କେଶୀ ବଧ, ଭାଦ୍ରବ  ଶୁକ୍ଳ ଦଶମୀ ତିଥିରେ ଲବଣିଖିଆ ଛକଠାରେ ମହାଭୋଇ ସେବକମାନଙ୍କ ଦ୍ୱାରା ସର, ଲବଣୀ ଓ ମାଖନ ଭୋଗ, ମଥୁରା  ହାଟ ଜୁର (ଅତ୍ୟାଚାରୀ କଂସ ଦ୍ୱାରା ଲୁଣ୍ଠନ, ନାରଖାର କରିବା)  ଓ କଂସବଧ ଆଦି ନୀତି ଓ ବେଶ ପାରମ୍ପରିକ ରୀତିରେ  ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଚତୁର୍ଦ୍ଦଶୀ ସପ୍ତପୁରୀ ବିଧି ଓ  ଚତୁର୍ଥୀ ଗଣେଶ ପୂଜା ହେତୁ କୃଷ୍ଣାଭିନୟ ବନ୍ଦ ରହେ । ଏହିସବୁ  ଅଭିନୟ ଓ ପ୍ରସ୍ତାବ ଆଦି ଶ୍ରୀକ୍ଷେତ୍ରର ବିଭିନ୍ନ ସାହି କମିଟି ପକ୍ଷରୁ  ଆୟୋଜିତ ହୋଇଥାଏ । 

ଗବେଷକମାନେ କହନ୍ତି, ବହୁବର୍ଷ ପୂର୍ବେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ଠାରୁ କଂସବଧ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଜନ୍ମାଷ୍ଟମୀ  ଉତ୍ସବ ପାଳିତ ହେଉଥିଲା ଏବଂ ଶ୍ରୀକ୍ଷେତ୍ରର ସାତ ସାହି ତରଫରୁ  ବହୁ ଜାକଜମକରେ ‘ସାହିଯାତ' ଅନୁଷ୍ଠିତ ହେଉଥିଲା ।  ଚଳିତ ବର୍ଷ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳଙ୍କ  ଉଦ୍ୟମରେ ସାତ ସାହି କମିଟି ଓ ଜିଲ୍ଲା ପ୍ରଶାସନ ଶ୍ରୀକୃଷ୍ଣ ଲୀଳା  ସମାରୋହରେ ପାଳନ କରାଯିବା ସ୍ଥିର କରାଯାଇଛି । ଏହା  ଆନନ୍ଦର ବିଷୟ ନିଶ୍ଚୟ ।