ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ବିଦେଶ ଗସ୍ତର ପ୍ରଥମ ଦିନରେ ନାଇଜେରିଆରେ ପହଞ୍ଚିଛନ୍ତି। ଆଉ ସବୁଠାରୁ ବଡ କଥା ହେଉଛି, ଦୀର୍ଘ ୧୭ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନାଇଜେରିଆରେ ପହଞ୍ଚିଛନ୍ତି, ଯେଉଁ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଦନା ଜଣାଯାଇଛି ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି “ମୋତେ ଏବଂ ମୋର ପ୍ରତିନିଧୀଙ୍କୁ ସ୍ୱାଗତ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ଏହା ମୋ ପାଇଁ ଖୁସିର ବିଷୟ ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ନାଇଜେରିଆ ଆସିବାର ସୁଯୋଗ ପାଇଛି। ଏଥିପାଇଁ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ । ଗତ ମାସରେ ନାଇଜେରିଆରେ ବନ୍ୟା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଁ ସମବେଦନା ଜଣାଉଛି । ଆପଣଙ୍କୁ ସାହାଯ୍ୟ କରିବାକୁ ଭାରତ ୩୦ ଟନ୍ ମାନବିକ ସହାୟତା ପଠାଉଛି। "
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବ୍ରିକ୍ସରେ ନାଇଜେରିଆକୁ ପାର୍ଟନର ଦେଶର ମାନ୍ୟତା ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ମୁଁ ନାଇଜେରିଆକୁ ଅଭିନନ୍ଦନ ଜଣାଉଛି । ନାଇଜେରିଆ ସହିତ ଆମର ସହଭାଗିତାକୁ ଆମେ ଅଧିକ ପ୍ରାଧାନ୍ୟ ଦେଇଥାଉ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଭଳି ଆହ୍ୱାନ ବିରୋଧରେ ଆମେ ଏକାଠି କାମ କରୁଛୁ ଏବଂ ଏହା ଜାରି ରଖିବୁ। ନାଇଜେରିଆରେ ରହୁଥିବା ଭାରତୀୟଙ୍କ ଯତ୍ନ ନେଇଥିବାରୁ ଧନ୍ୟବାଦ । ମୋତେ ନାଇଜେରିଆର ଜାତୀୟ ସମ୍ମାନ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମର ସମ୍ପର୍କ ପାଇଁ ସମ୍ମାନ ।
ନାଇଜେରିଆ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି,“ରାଷ୍ଟ୍ରପତି ଟିନୁବୁଙ୍କ ସହ ବହୁତ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି । ଆମର ରଣନୀତିକ ଭାଗିଦାରୀକୁ ଅଧିକ ପ୍ରେରଣା ଦେବା ବିଷୟରେ ଆମେ ଆଲୋଚନା କରିଛୁ । ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କକୁ ଆହୁରି ବିସ୍ତାର କରିବାର ଅପାର ସମ୍ଭାବନା ଅଛି।