ଚଣ୍ଡିଖୋଲ, ୦୫/୦୮: ମାଡ଼ ଖାଇଲେ, ଗାଳି ଶୁଣିଲେ ତଥାପି ଜବାବ ରଖିଲେ । ତୁଳସୀ ଗଣନାଟ୍ୟ ମାଲିକଙ୍କୁ ଟଙ୍କା ଫେରାଇଲେ । ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କୁ ୧୦ଲକ୍ଷ ଟଙ୍କା ଫେରାଇଛନ୍ତି ଯାତ୍ରା କଳାକାର ନରି ପଣ୍ଡା । ସୋମବାର ବାଲିଚନ୍ଦ୍ରପୁର ଥାନାକୁ ଆସି ଥାନା ଅଧିକାରୀଙ୍କ ମାଧ୍ୟମରେ ତୁଳସୀ ଗଣନାଟ୍ୟ ମାଲିକଙ୍କୁ ଟଙ୍କା ଫେରାଇଛନ୍ତି ।
ସୂଚନା ଅନୁଯାୟୀ, ତୁଳସୀ ଗଣନାଟ୍ୟରେ କାମ କରିବା ପାଇଁ କଳାକାର ନରି ପଣ୍ଡା ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ହେଲେ ନରି ପଣ୍ଡା କୌଣସି କାରଣରୁ କାମ କରିବାକୁ ମନା କରିବାରୁ ଯାତ୍ରାପାର୍ଟି ମାଲିକ ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ । ଏପରି ଗାଳି କରିବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ନରି ପଣ୍ଡା । ଏନେଇ ସେ ବାଲିଚନ୍ଦ୍ରପୁର ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଯାହା ପରେ ଯାତ୍ରା ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ତେବେ ସୋମବାର ନରି ପଣ୍ଡା ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ମାଲିକଙ୍କଠୁ ନେଇଥିବା ୧୦ ଲକ୍ଷ ଟଙ୍କା ଥାନା ଅଧିକାରୀଙ୍କ ମାଧ୍ୟମରେ ଫେରାଇ ଦେଇଛନ୍ତି । ଏହାସହିତ ମାଲିକଙ୍କ ପାଖରେ ଥିବା ନରି ପଣ୍ଡାଙ୍କ ଏଗ୍ରିମେଣ୍ଟ ପେପର ମଧ୍ୟ ନେଇଛନ୍ତି ।